ଗ୍ୟାଙ୍ଗଷ୍ଟର ଟିଟୋ ମାମଲା : ୭ ତହସିଲଦାରଙ୍କୁ ତଥ୍ୟ ମାଗିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର : ଗ୍ୟାଙ୍ଗଷ୍ଟର ଟିଟୋ , ତା ସ୍ତ୍ରୀ ଓ ୧୮ ଜଣ ସଂପର୍କୀୟଙ୍କ ନାଁରେ ଥିବା ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ପ୍ରକ୍ରିୟା ଆରମ୍ଭ । ସେମାନଙ୍କର ୩୪ଟି ବ୍ୟାଙ୍କରେ ୫୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି । ଟିଟୋ ନିଲାମ ଧରିଥିବା ବାଲିଘାଟ ଓ ମୋରମ ଖଣି ବାବଦରେ ୭ ତହସିଲଦାରଙ୍କୁ ତଥ୍ୟ ମାଗିଲା କ୍ରାଇମବ୍ରାଞ୍ଚ । ଏନେଇ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ମହାକାଳପଡ଼ା, ମାର୍ଶାଘାଇ, ଗରଦପୁର, ଧର୍ମଶାଳା ଓ ବାଲିଚନ୍ଦ୍ରପୁର ତହସିଲଦାରଙ୍କୁ କ୍ରାଇମବ୍ରାଞ୍ଚ ଚିଠି ଲେଖିଛି । ନିଲାମ ସଂପର୍କିତ ସମସ୍ତ ନଥିପତ୍ର ଦାଖଲ ପାଇଁ କୁହାଯାଉଛି ।

ସେହିପରି ଇନିସପେକ୍ଚର ଜେନେରାଲ ଅଫ ରେଜିଷ୍ଟ୍ରେସନ, କଟକ ଓ ଡାଇରେକ୍ଟର ଅଫ ଓଡ଼ିଶା ଇ-ଗଭର୍ଣ୍ଣାନସ ସର୍ଭିସଙ୍କୁ ମଧ୍ୟ ଚିଠି ଲେଖାଯାଇଛି। ଟିଟୋ ନାଁରେ କେଉଁ ମଉଜାରେ କେତେ ଜମି, ସଂପତ୍ତି ରହିଛି, ତାହା କେଉଁ ତହସିଲ ଅଫିସ ଅଧିନରେ ଆସୁଛି ସେ ବାବଦରେ ସବିଶେଷ ତଥ୍ୟ ଦେବାକୁ କୁହାଯାଇଛି । ସେହିପରି ଇପିଆଇ ଲିମିଟେଡର ଡିଜିଏମ ଦେବୀଦତ୍ତ ଦାସଙ୍କୁ ମଧ୍ୟ ଏସଟିଏଫ ସମନ କରିଛି । କେନ୍ଦ୍ରାପଡ଼ା ସାମୁଗୁଡ଼ିଆରେ ୧୧୦ କୋଟି ଟଙ୍କାରେ ମାଆ ଓ ଶିଶୁ ମାନଙ୍କୁ ପାଇଁ ନିର୍ମାଣ କରାଯାଉଥିବା ୭୦ ଶଯ୍ୟା ବିଶିଷ୍ଚ ହସପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ହୋଇଥିବା ଗ୍ଲୋବାଲ ଟେଣ୍ଡର ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ଦେବୀଦତ୍ତଙ୍କୁ ଡକାଯାଇଛି ।

ଟିଟୋ ସ୍ତ୍ରୀ ନାଁରେ କୋଲକାତାରେ ଏକ କୋଟି ୧୦ ଲକ୍ଷ ଟଙ୍କାର ଏକ ସଂପତ୍ତି ରହିଛି । ଏହି ଲାଣ୍ଡ ଡିଲରେ ସଂପୃକ୍ତ ଥିବା ବନ୍ଦନା ରାୟଙ୍କୁ ସମସ୍ତ କାଗଜପତ୍ର ଦାଖଲ ପାଇଁ ଏସଟିଏଫ ନିର୍ଦ୍ଦେଶ ଦେଇଛି । ଗ୍ୟାଙ୍ଗଷ୍ଟାର ଟିଟୋର ଓଲିଉଡ୍ ଲିଙ୍କ ନେଇ ମଧ୍ୟ ସୁରାକ ମିଳିଥିବା ବେଳେ ଏସଟିଏଫ ତନାଘନାକୁ ଜୋରଦାର କରିଛି । ନିର୍ମାଣାଧୀନ ଓଡ଼ିଆ ଫିଲ୍ମ ‘ବିଶ୍ୱନାଥ’ରେ ଟଙ୍କା ଖଟାଇଛି । ଫିଲ୍ମର ପ୍ରଯୋଜକ ଅଛନ୍ତି ଟିଟୋର ସମ୍ପର୍କୀୟ ଭାଇ । ଗତମାସ କେନ୍ଦ୍ରାପଡାରେ ଏହାର ମହୁରତ ହୋଇଛି । ଷ୍ଟାରକାଷ୍ଟରେ ବି ଅଛନ୍ତି ଓଲିଉଡ୍ର ନାମୀଦାମୀ ଷ୍ଟାର । ରିମାଣ୍ଡରେ ନେଇ ଆର୍ଥିକ କାରବାର ତନାଘନା ବେଳେ ଓଲିଉଡ୍ ଲିଙ୍କ୍ର ତଥ୍ୟ ଓଗାଳିଛି ଟିଟୋ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.