ମମିତା ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି: ଜିଲ୍ଲା ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ

ବଲାଙ୍ଗିର(କେନ୍ଯୁଜ୍): ଆଜି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ । ମମିତା ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରି ଜିଲ୍ଲା ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ପ୍ରଭାବରେ ବଲାଙ୍ଗିର ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ, ସ୍କୁଲ, କଲେଜ ଓ ଦୋକାନ ବଜାର ବନ୍ଦ ରହିଛି। କର୍ମୀମାନେ ସକାଳୁ ସକାଳୁ ପିକେଟିଂ କରି ଗାଡି ମୋଟର ଅଟକାଇବା ସହ ରାସ୍ତାରୋକ କରିଛନ୍ତି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି।

ସୂଚନା ଥାଉକି, ଗତକାଲି ଖୋଲିଛି ମମିତା ମେହେର ମର୍ଡର ମିଷ୍ଟ୍ରି । ମହାଲିଙ୍ଗ ସନ୍‌ ସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରିଥିବା ମାନିଛି ଗୋବିନ୍ଦ ସାହୁ । ଏଥିପାଇଁ ପୂର୍ବରୁ ପ୍ଲାନ୍‌ କରିଥିଲା ଅଭିଯୁକ୍ତ । ୮ ତାରିଖ ଦିନ କାରରେ ମମିତାଙ୍କୁ ହତ୍ୟା କରିଥିଲା । ଭବାନୀପାଟଣାରୁ କେ.ଗାଁ ଯିବା ବାଟରେ ହତ୍ୟା କରିଥିଲା ଗୋବିନ୍ଦ । ହତ୍ୟାର କାରଣ ଥିଲା ମମିତା ପ୍ରତିି ଗୋବିନ୍ଦଙ୍କ ଆକ୍ରୋଶ । କାରଣ ଗୋବିନ୍ଦଙ୍କ ପରକୀୟାପ୍ରୀତି କଥା ମମିତା ଜାଣିଥିଲେ । ଗୋବିନ୍ଦଙ୍କ ମୁଖା ଖୋଲିବାକୁ ଧମକ ଦେଉଥିଲେ । ରାଗ ରଖି ମମିତାଙ୍କୁ ଗୋବିନ୍ଦ ହତ୍ୟା କରିଛି । ଗାଡ଼ିରେ ମୃତଦେହ ନେଇ ମିନିଷ୍ଟାଡିୟମ ଯାଇଥିଲା ଗୋବିନ୍ଦ ।

ଆଗରୁ ଖୋଳାଯାଇଥିବା ଗାତରେ ମୃତଦେହ ପୋଡିଥିଲା । କାର୍ଡବୋର୍ଡ ଓ ଟାୟାରରେ ନିଆଁ ଲଗାଇ ପୋଡିଥିଲା ମୃତଦେହ । ୯ ତାରିଖ ସକାଳେ ଗାତ ପୋତିଥିଲା ଗୋବିନ୍ଦ । କାର ଭିତରୁ ତଥ୍ୟ ପ୍ରମାଣ ମିଳିଛି । ଏହି ଘଟଣାରେ ଗୋବିନ୍ଦଙ୍କ ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ । ପ୍ରେସମିଟରେ ମମିତା ମର୍ଡର ମିଷ୍ଟ୍ରିର ଖୁଲାସା କରିଛନ୍ତି ଉତ୍ତରାଞ୍ଜଳ ଡିଆଇଜି ଦୀପକ କୁମାର । ଆଜି ଗୋବିନ୍ଦ ସାହୁକୁ କୋର୍ଟ ଚାଲାଣ କରିଛି ବଲାଙ୍ଗିର ପୋଲିସ । ଅଧିକ ଖୋଳତାଡ ଓ ପଚରାଉଚରା ପାଇଁ ଗୋବିନ୍ଦକୁ ପୋଲିସକୁ ୫ ଦିନିଆ ରିମାଣ୍ଡରେ ନେବ । ୭ ଦିନ ପାଇଁ ରିମାଣ୍ଡ ଅନୁମତି ମାଗିଥିଲା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.