ଜିଏସ୍‌ଟି ଚଢ଼ାଉ ପରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା: ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

ଜୟପୁର : ଆଜି ଜୟପୁର ବନ୍ଦ । GST ବିଭାଗର କାର୍ଯ୍ୟାନୁଷ୍ଠାନ ବିରୋଧରେ ଏହି ବନ୍ଦ ଡାକରା ଦେଇଛି ଚାମ୍ବର ଅଫ କମର୍ସ । ଜୟପୁର ସହରରେ ସୁନା ବ୍ୟବସାୟୀ ପି. ହରିପ୍ରସାଦଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ବାର ଘଣ୍ଟିଆ ବନ୍ଦ ଡାକରା ଦେଇଛି ଚାମ୍ବର ଅଫ କମର୍ସ ।  ସମସ୍ତ ଛୋଟ ବଡ ଦୋକାନ, ବଜାର ସହ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ତେବେ ଜରୁରୀକାଳିନ ସେବା, ସ୍କୁଲ କଲେଜ ସମେତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଖୋଲା ରହିଛି । ଗାଡି ଚଳାଚଳ ମଧ୍ୟ ସ୍ୱାଭାବିକ ରହିଛି ।  ଚାମ୍ବର ଅଫ କମର୍ସ ପକ୍ଷରୁ ମୃତ ହରିପ୍ରସାଦଙ୍କ ଘରୁ ଏକ ବିଶାଳ ଶୋଭାଯାତ୍ରା ବାହାରି GST କାର୍ଯ୍ୟାଳୟ ଘେରାଉ କରାଯିବ ।

ସୂଚନା ଯୋଗ୍ୟ, ଗତ ମଙ୍ଗଳବାର ଧନତେରାସ ଥିବା ବେଳେ ସେହି ଦିନ ରାଜ୍ୟ ବିଭିନ୍ନ ସୁନା ଦୋକାନରେ ସିଟି ଓ ଜିଏସ୍‌ଟି ପକ୍ଷରୁ ଚଢ଼ାଉ କରାଯାଇଥିଲା । ଜୟପୁରରେ ପି. ହରପ୍ରସାଦଙ୍କ ଦୋକାନ ନ୍ୟୁ ବାସେବୀ ଜ୍ୱେଲର୍ସରେ ମଧ୍ୟ ଚଢ଼ାଉ କରାଯାଇଥିଲା । ଗତକାଲି ତାଙ୍କର ହୃଦଘାତ ଜନିତ ମୃତ୍ୟୁ ହୋଇଛି । ଚଢାଉ ପରଠାରୁ ପି. ହରିପ୍ରସାଦ ଚାପଗ୍ରସ୍ତ ଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି ।

ପି. ହରପ୍ରସାଦଙ୍କ ଭାଇ ପି. ରାଜେଶ କହିଛନ୍ତି ଯେ, ଗୋଟିଏ ପର୍ବ ବେଳେ ସିଟି ଓ ଜିଏସ୍‌ଟିର ଏଭଳି ଚଢ଼ାଉ ତାଙ୍କୁ (ପି. ହରପ୍ରସାଦଙ୍କୁ) ଖୁବ୍ ଆଘାତ ଦେଇଥିଲା । ଏକ ଘଣ୍ଟା କହି ୬ରୁ ୭ ଘଣ୍ଟା ଧରି ଦୋକାନ ଓ ଘରେ ସର୍ଚ୍ଚ କରିଥିଲା ସିଟି ଓ ଜିଏସ୍‌ଟି ଟିମ୍ ।  ଆଉ ତା’ର ପ୍ରଭାବ ଭାଇଙ୍କ ଉପରେ ପଡ଼ିଥିଲା ।  ପୂର୍ବରୁ ମଧ୍ୟ ଭାଇଙ୍କ ଦୋକାନରେ ଏମିତି ବାରମ୍ବାର ଚଢ଼ାଉ କରାଯାଇଛି ।  ଯଦି କିଛି ତ୍ରୁଟି ଥିଲା, କାର୍ଯ୍ୟାନୁଷ୍ଠାନ ନେଇଥା’ନ୍ତେ । କିନ୍ତୁ ତାହା ନ କରି ଏମିତି ବାରମ୍ବାର ଚଢ଼ାଉ କରାଯିବ ଯୋଗୁ ଲୋକେ କ’ଣ କହୁଥିବେ ଭାବି ଭାବି ଚିନ୍ତାଗ୍ରସ୍ତ ହୋଇଯାଇଥିଲେ ।  ଆଉ ଗତକାଲି ତାଙ୍କର ମୃତ୍ୟୁ ହୋଇଗଲା ।

You might also like