ଆଜି କିଟ୍ ନହ୍ନିପରୀ ଗ୍ରାଣ୍ଡ ଫିନାଲେ, ୨୫ଜଣ ଶ୍ରେଷ୍ଠ ପ୍ରତିଯୋଗୀ ଅଂଶଗ୍ରହଣ କରିବେ
ଭୁବନେଶ୍ୱର : କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆର ୨୪ତମ ସଂସ୍କରଣର ଗ୍ରାଣ୍ଡ ଫିନାଲେ ଆଜି ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ଆଞ୍ଚଳିକ ଅଡିସନରୁ ମନୋନୀତ ହୋଇଥିବା ୨୬ ରାଜ୍ୟର ୪ହଜାର ପ୍ରତିଯୋଗୀଙ୍କ ମଧ୍ୟରୁ ୨୫ଜଣ ଶ୍ରେଷ୍ଠ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ।
ସେମାନଙ୍କ ମଧ୍ୟରୁ ଚୂଡ଼ାନ୍ତ ପର୍ଯ୍ୟାୟରେ ବିଭିନ୍ନ ବିଭାଗରୁ ୧୦ଜଣଙ୍କୁ ମନୋନୀତ କରାଯିବା ସହ ଶ୍ରେଷ୍ଠ ୩ଜଣଙ୍କୁ କିଟ ନହ୍ନିପରୀ ଟାଇଟଲ୍, ପ୍ରଥମ ରନର୍ସଅପ୍ ଓ ଦ୍ୱିତୀୟ ରନର୍ସଅପ ଟାଇଟଲ ପ୍ରଦାନ କରାଯିବ।ଚଳିତବର୍ଷ ମୁଖ୍ୟ ଆକର୍ଷଣ ଅଛନ୍ତି ମିସ ଇଣ୍ଡିଆ ୱାର୍ଲ୍ଡ ୨୦୨୪ ନିକିତା ପରୱାଲ୍, ଫେମିନା ମିସ୍ ଇଣ୍ଡିଆ ୨୦୨୪ ପ୍ରଥମ ଉପବିଜେତା ରେଖା ପାଣ୍ଡେ ଏବଂ ଫେମିନା ମିସ୍ ଇଣ୍ଡିଆ ୨୦୨୪ ଦ୍ୱିତୀୟ ଉପବିଜେତା ଆୟୁଷୀ ଢ଼ୋଲକିଆ ।
ଚଳିତବର୍ଷ ଅଗଷ୍ଟ ମାସରୁ ନଭେମ୍ବର ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଜ୍ୟରେ ଏଥିପାଇଁ ଆଞ୍ଚଳିକ ଅଡିସନ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ମୋଟ ୪୧ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରଖାଯାଇଛି । ନହ୍ନିପରୀ ଟାଇଟଲ ବିଜେତାଙ୍କୁ ନଗଦ ୩ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଆକାରରେ ପ୍ରଦାନ କରାଯିବାକୁ ଥିବା ବେଳେ ସେ କିଟରେ ପାଠ ପଢ଼ିଲେ ତାଙ୍କର ଶହେ ପ୍ରତିଶତ ଫି’ ଛାଡ଼ ଅର୍ଥାତ୍ ସର୍ବାଧିକ ୧୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି ଛାଡ଼ ହେବ ।
ପ୍ରଥମ ରନର୍ସ ଅପଙ୍କୁ ନଗଦ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବା ସହ ସେ କିଟରେ ପାଠ ପଢିଲେ ସର୍ବାଧିକ ୯ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି’ ଛାଡ଼ କରାଯିବ । ଦ୍ୱିତୀୟ ରନର୍ସ ଅପ ପାଇଁ ୫୦ ହଜାର ଟଙ୍କା ନଗଦ ଅର୍ଥରାଶି ସହ ସର୍ବାଧିକ ୯ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ପୁରସ୍କାର ପ୍ରଦାନ କରାଯିବ।
୨୦୦୧ ମସିହାରେ କେନ୍ଦୁଝରରୁ ଆରମ୍ଭ ହୋଇଥିବା କିଟ୍ ନହ୍ନିପରୀ ପ୍ରତିଯୋଗିତା ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପୃଷ୍ଠପୋଷକତା ଓ ପରାମର୍ଶ କ୍ରମେ ଏବେ ସମଗ୍ର ଦେଶରେ ବେଶ ପ୍ରସିଦ୍ଧି ଲାଭ କରିଛି ।