ଆଜି ୮୧ ବର୍ଷ ବୟସରେ ପାଦ ଥାପିଲେ ସୁର ରାଉତରାୟ

ଭୁବନେଶ୍ୱର : ‘ମାଡି ଚାଲ’ ଡାଇଲଗ ସାଙ୍ଗକୁ , ‘ଓଃ ବିୟୁଟିଫୁଲ୍’ ଆଉ କେତେବେଳେ ପୁଣି ‘ରେଡି ତ’ ଡାଇଲଗ । ଜାଣି ପାରୁଛନ୍ତି ଆମେ କାହା କଥା କହୁଛୁ । ଆମେ କହୁଛୁ ନିଜର ମଜାଳିଆ କଥାବାର୍ତ୍ତା ଓ ନିର୍ଭିକ ଅନ୍ଦାଜ ପାଇଁ ଓଡ଼ିଶାର ଛୁଆଙ୍କ ଠାରୁ ଆରମ୍ଭ କରି ବୁଢା ସମସ୍ତଙ୍କ ପାଖରେ ପରିଚିତ ଥିବା ବରିଷ୍ଠ ରାଜନେତା ସୁରେଶ କୁମାର ରାଉତରାୟଙ୍କ କଥା । ଆଜି ୮୧ ବର୍ଷ ବୟସରେ ପାଦ ଥାପିଛନ୍ତି ସୁର ରାଉତରାୟ ।

ସୋସିଆଲ ମିଡ଼ିଆର ସବୁବେଳେ ଚହଳ ପକାଇଥାନ୍ତି ସମସ୍ତଙ୍କର ପ୍ରିୟ ସୁର ଭାଇ । ପ୍ରତ୍ୟକ ଦିନ ରାତି ପାହିଲେ ଗଣମାଧ୍ୟମ ଜରିଆରେ ତାଙ୍କୁ ଦେଖିବାକୁ ମିଳିଥାଏ । ସମସ୍ତଙ୍କ ମୁହଁରେ ହସ ଫୁଟିଥାଏ । ଯେତେବେଳେ ଯାହା ବି କୁହନ୍ତି ଏକଦମ ରୋକଠୋକ । ତେବେ ଆଜି ତାଙ୍କ ଜନ୍ମଦିନ ।  ୮୧ ବର୍ଷ ବୟସରେ ବି ସେ ଏକଦମ୍ ଫିଟ୍ । ଆଜି ତାଙ୍କ ଜନ୍ମ ଦିନ ଅବସରରେ ଅନେକ ଶୁଭେଚ୍ଛାର ସୁଅ ଛୁଟିଛି । ସମସ୍ତେ ନିଜ ନିଜର ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ସୁସ୍ଥ ଜୀବନ କାମନା କରିଛନ୍ତି ।

ବିଜେବି କଲେଜରେ ପାଠ ପଢ଼ୁଥିବା ବେଳେ ସୁରେଶ ନିଜର ଛାତ୍ର ରାଜନୀତିରୁ କ୍ୟାରିଅର ଆରମ୍ଭ କରିଥିଲେ । ୧୯୭୭ ମସିହାରେ ପ୍ରଥମ ଥର ପାଇଁ ସେ ଜଟଣୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଜିତି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେହି ସମୟରେ ସେ ଜନତା ଦଳରୁ ଟିକେଟ ପାଇ ନିର୍ବାଚନ ଲଢ଼ିଥିଲେ ଓ ଏହା ପରେ ଆରମ୍ଭ କରିଥିଲେ କଂଗ୍ରେସ ରାଜନୀତି । ପରେ କଂଗ୍ରେସ ଟିକେଟରେ ୧୯୮୦, ୧୯୮୫, ୧୯୯୫ , ୨୦୦୦ ଏବଂ ୨୦୧୯ରେ ନିର୍ବାଚିତ ହୋଇଥିଲେ । ବିରୋଧୀ ନେତା ହିସାବରେ ଓଡିଶା ରାଜନୀତିରେ ତାଙ୍କର ବହୁ ଦବଦବା ରହିଥିଲା ।

ତେବେ ଗତ କିଛି ଦିନ ତଳେ କଂଗ୍ରେସ ଦଳରୁ ବରିଷ୍ଠ ନେତା ସୁରେଶ ରାଉତରାୟଙ୍କୁ ବହିଷ୍କୃତ କରାଯାଇଥିଲା । ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଥିଲା । ନିଜ ସାନ ପୁଅ ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିବା ତାଙ୍କ ପାଇଁ ମହଙ୍ଗା ପଡ଼ିଥିଲା । ଏ ନେଇ ତାଙ୍କୁ ପ୍ରଥମେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା । ତେବେ ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ।

୧୯୭୭ରୁ ଜଟଣୀକୁ ନିଜ କବଜାରେ ରଖିଥିବା ସୁରେଶ ରାଉତରାୟ ସେଠାରୁ ୧୦ଥର ନିର୍ବାଚନ ଲଢ଼ି ୬ ଥର ବିଧାୟକ ହୋଇଥିଲେ । ତେବେ ନିଜର ଖୋଲା ମନ୍ତବ୍ୟ ତଥା ଡାଇଲଗ ବାଜି ଯୋଗୁଁ ସୁର ସବୁବେଳେ ଗଣମାଧ୍ୟମରେ ଚର୍ଚ୍ଚାରେ ଥାଆନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.