ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୁଡରେ ପୋଲିସ୍, ହସ୍ପିଟାଲ ଓ ଆରଟିଓ ଅଫିସରୁ ଆଜି ପୁଣି ୧୭ ଜଣ ଗିରଫ
ଭୁବନେଶ୍ବର: ହସ୍ପିଟାଲ ଓ ଆଞ୍ଚଳିକ ପରିବହନ ଅଫିସକୁ ଦଲାଲ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୁଡରେ ପୋଲିସ । ରାଜ୍ୟର ବିଭିନ୍ନ ହସ୍ପିଟାଲ ଓ ଆରଟିଓ ଅଫିସରେ ଘନ ଘନ ଚଢାଉ । ଦଲାଲଙ୍କୁ ବାନ୍ଧୁଛି ପୋଲିସ । ସେମାନଙ୍କର କାହା କାହା ଲିଙ୍କ ରହିଛି ତାର ମଧ୍ୟ ଖୋଳତାଡ଼ କରାଯାଉଛି । ଗତକାଲି ୩୭ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଆଜି ଆଉ ୧୭ ଜଣଙ୍କୁ ଗିରଫ କରାଯାଇଛି। ବିଭିନ୍ନ ଡାକ୍ତରଖାନା ଓ ଆରଟିଓରୁ ଦଲାଲଙ୍କୁ ଗିରଫ କରାଯାଇଛି। ବୁର୍ଲା, ବଲାଙ୍ଗୀର ଓ କେନ୍ଦ୍ରାପଡ଼ା, କେନ୍ଦୁଝର, ନବରଙ୍ଗପୁର, ଅନୁଗୁଳ, ଭବାନୀପାଟଣା, ବାଲେଶ୍ୱର, କୋରାପୁଟ ଓ ଭଦ୍ରକ ଆଦି ଜିଲ୍ଲାରୁ ଦଲାଲଙ୍କୁ ବାନ୍ଧିଛି ପୋଲିସ । ହସ୍ପିଟାଲକୁ ୧୫ ଦିନ ମଧ୍ୟରେ ଦଲାଲ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପୋଲିସ ପକ୍ଷରୁ ଘନ ଘନ ଚଢ଼ାଉ କରାଯାଉଥିବା ବେଳେ ଦଲାଲ ଛାନିଆ ହୋଇପଡ଼ିଛନ୍ତି । ବିଭିନ୍ନ ସମୟରେ ଗରିବ ରୋଗୀମାନେ ଦଲାଲଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି । ସେହିପରି ଆରଟିଓ ଅଫିସରେ ଦଲାଲଙ୍କ କବଳରେ ପଡ଼ି ଲୋକମାନେ ପଡ଼ି ହଇରାଣ ହରକତ ହେଉଛନ୍ତି । ଏବେ ସେମାନଙ୍କ ବିରୋଧରେ ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ଜନସାଧାରଣ ସ୍ୱାଗତ କରିଛନ୍ତି ।