ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ ତମ ଜୟନ୍ତୀ , ରାଜ୍ୟ ପାଳୁଛି ପଞ୍ଚାୟତିରାଜ ଦିବସ

ଭୁବନେଶ୍ବର(କେନ୍ୟୁଜ୍) : ଆଜି ପ୍ରବାଦ ପୁରୁଷ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜନ୍ମ ଜୟନ୍ତୀ। ରାଜ୍ୟବ୍ୟାପୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସଭାର କାର୍ଯ୍ୟକ୍ରମ ରହିଛି। ବିଜେଡି କାର୍ଯ୍ୟାଳୟ ସହ ବିଜୁ ପଟ୍ଟନାୟକ ପାର୍କରେ ପୁଷ୍ପ ମାଲ୍ୟାର୍ପଣ ସହ ଶ୍ରଦ୍ଧାସୁମନ ଅର୍ପଣ କରାଯିବ। ବିଜୁ ବାବୁଙ୍କ ଏଜେଣ୍ଡା ଥିଲା ବିକାଶ ଓ ସଶକ୍ତି କରଣ। ତାଙ୍କ ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ଭାବେ ପଳନ କରାଯାଉଛି। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ ଓ ମଜଭୁତ କରିବାକୁ ଗତବର୍ଷ ଠାରୁ ରାଜ୍ୟ ସରକାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ସ୍ୱପ୍ନର ସୌଦାଗର ବିଜୁ ପଟ୍ଟନାୟକ :

ଝଡର ଇଗଲ । ସ୍ୱପ୍ନର ସୌଦାଗର ବିଜୁ ପଟ୍ଟନାୟକ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପୈତୃକ ଗାଁ ହେଉଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟ ନୂଆଗାଁ । ଜଣେ ନିର୍ଭୀକ ପାଇଲଟ, ସଚ୍ଚୋଟ ରାଜନେତା ଓ ଚିନ୍ତାନାୟକ ଭାବେ ତାଙ୍କର ଅନେକ ସୁଖ୍ୟାତି । ସେ ଦୁଇ ଦୁଇ ଥର ସଫଳତାର ସହ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ତା ସହିତ କେନ୍ଦ୍ର ସରକାରଙ୍କ ଇସ୍ପାତ ଖଣି ଓ କୋଇଲା ବିଭାଗ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସବୁବେଳେ ବିକାଶ ଉପରେ ଗୁରୁତ୍ୱାରୋପ କରୁଥିଲେ ବିଜୁବାବୁ ।

ନିଜ ଜୀବନ କାଳ ମଧ୍ୟରେ ଅନେକ ଦୁଃସାହସିକ କାମ କରି ବିଜୁ ବାବୁ ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଜବାହାରଲାଲ ନେହେରୁଙ୍କ ଅନୁରୋଧ କ୍ରମେ ଇଣ୍ଡୋନେସିଆରୁ ସୁଲତାନ ସାରିଆରଙ୍କୁ ଉଦ୍ଧାର କରିବା ସହ ବିମାନରେ ଭାରତ ଇଡାଇଆଣିବା ଘଟଣାରେ ଯେଉଁ ସାହସିକତା ବିଜୁବାବୁ ଦେଖାଇଥିଲେ ତାର ପଟାନ୍ତର ନାହିଁ । ତେଣୁ ପରବର୍ତ୍ତୀ ସମୟରେ ଇଣ୍ଡୋନେସିଆର ଭୂମିପୁତ୍ର ଭାବେ ସମ୍ମାନିତ ହୋଇଥିଲେ ସେ । ଓଡିଶାରେ ଶିଳ୍ପର ବିକାଶ କଥା ଆସିଲେ ଆଜି ବି ମନେ ପଡନ୍ତି ବିଜୁ ବାବୁ । ଓଡିଶା ଇତିହାସରେ ଚିରକାଳ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିବ ତାଙ୍କ ନାଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.