ଆଜି ବି ବୌଦ୍ଧ ସବୁଠୁ ଉତ୍ତପ୍ତ ସହର, ୪୩ ଦଶମିକ ୫ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ୱର : ପାରଦ ଏବେ ଉପର ମୁହାଁ । ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଘରୁ ବାହାରି ହେଉନାହିଁ । ମାର୍ଚ୍ଚ ମଝିରୁ ଏଭଳି ଖରାଦେଖି ଲୋକେ ଛାନିଆଁ । ଆଜି ବି ବୌଦ୍ଧ ସବୁଠୁ ଉତ୍ତପ୍ତ ସହର । ୪୩ ଦଶମିକ ୫ ଡିଗ୍ରୀ ଛୁଇଁଛି ପାରଦ । ସେହିପରି ବରଗଡ଼ରେ ୪୨, ଅନୁଗୁଳରେ ୪୦.୭, ଟିଟିଲାଗଡ଼-୪୦.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।
ମାଲକାନଗିରିରେ ୪୦.୨ ଓ ଝାରସୁଗୁଡ଼ାରେ ୩୯.୮ ଡିଗ୍ରୀ ରେକର୍ଡ ହୋଇଛି । ଏପଟେ ଆହୁରି ୨ଦିନ କଲବଲ କରିବ ତାତି । ହିଟ ୱେଭ ନେଇ କାଲି ଝାରସୁଗୁଡ଼ା ଓ ବୌଦ୍ଧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୪ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ତିନିଦିନ ପରେ ମିଳିବ ସାମାନ୍ୟ ଆଶ୍ବସ୍ତି । ୧୯ରୁ ୨୨ ଯାଏଁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଏପଟେ ତାତିରେ ଲାଗିବ ବ୍ରେକ । ୧୯ରୁ ୨୨ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବ । ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କଳାବୈଶାଖୀ ସୃଷ୍ଟି ହେବା ସମ୍ଭାବନା ରହିଛି । ରାଜ୍ୟରେ ୧୯ ରୁ ୨୨ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ ।
ଏହି ସମୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ପବନର ବେଗ ମଧ୍ୟ ଅଧିକ ରହିବ। ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ଝଟକା ପବନର ବେଗ ୭୦ କିମି ରହିବା ଆକଳନ କରାଯାଇଛି । କାଳବୈଶାଖୀ ବେଳେ କିଛି ଅଞ୍ଚଳରେ କୁଆପଥର ବର୍ଷା ସମ୍ଭାବନା ରହିଛି l