ଆଜି ତିତ୍ଲି ପ୍ରଭାବିତ ଗଜପତି ଜିଲ୍ଲା ଗସ୍ତ କରିବେ ୭ ଜଣିଆ କେନ୍ଦ୍ରୀୟ ଟିମ୍

ଗଜପତି(କେନ୍ଯୁଜ୍) : ତିତଲି ପ୍ରଭାବରେ ରାଜ୍ୟରେ କ୍ଷୟକ୍ଷତିର ପରିମାଣ କେତେ ? ଅନୁଧ୍ୟାନ ପାଇଁ ଓଡ଼ିଶା ଆସିଛି ୭ ଜଣିଆ କେନ୍ଦ୍ରୀୟ ଟିମ୍ । ଏହି ଟିମ୍ ଆଜି ତିତ୍ଲି ପ୍ରଭାବିତ ଗଜପତି ଜିଲ୍ଲା ଗସ୍ତ କରିବ । ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଗାଁକୁ ଯିବ କେନ୍ଦ୍ରୀୟ ଟିମ୍ । ପ୍ରଭାବିତ ଅଞ୍ଚଳର ଲୋକ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା କାର୍ଯ୍ଯକ୍ରମ ରହିଛି । ସେଠାରୁ ଫେରିବା ପରେ କେନ୍ଦ୍ରୀୟ ଟିମ୍ ସଚିବାଳୟରେ କ୍ଷୟକ୍ଷତି ନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ । ଏହାପରେ କେନ୍ଦ୍ର ସରକାରଙ୍କୁ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବ କେନ୍ଦ୍ରୀୟ ଟିମ୍ ।
ପୂର୍ବରୁ ତିତଲିରେ ୨ହଜାର ୭ଶହ ୭୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ରିପୋର୍ଟ ଦିଆଯାଇଛି । କ୍ଷୟକ୍ଷତି ବାବଦରେ ମଧ୍ୟବର୍ତ୍ତୀକାଳୀନ ହଜାରେ କୋଟି ଟଙ୍କାର ସହାୟତା ଦେବା ପାଇଁ ଗତ ୧୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।