ପୁରୀ(କେନ୍ୟୁଜ୍) : ସରିଲା ଧର୍ମ ମାସ କାର୍ତ୍ତିକ । ଏବେ ଘର ବାହୁଡା ହବିଷିଆଳି । କାର୍ତ୍ତିକ ବ୍ରତ ପାଳନ ପାଇଁ ଶ୍ରୀକ୍ଷେତ୍ରରେ ହବଷିଆଳିଙ୍କ ଭିଡ଼ ଜମିଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ହବିଷିଆଳିମାନେ ପୁରୀ ଆସି କାର୍ତ୍ତିକ ବ୍ରତ ପାଳନ କରୁଥିଲେ । କାର୍ତ୍ତିକ ମାସ ଶେଷ ହେବା ପରେ ହବିଷିଆଳିମାନେ ନିଜ ନିଜ ଘରକୁ ଫେରୁଛନ୍ତି ।
ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ୨୬ ଶହରୁ ଅଧିକ ହବିଷ୍ୟାଳିଙ୍କ ମାଗଣା ରହଣୀ, ବ୍ରତ ପାଳନ ଓ ଦିନକୁ ଥରେ ମହାପ୍ରସାଦ ଦେବାର ବ୍ୟବସ୍ଥା କରାଯାଇଥିଲା । ପୁରୀ ରେଳବାଇ ପର୍ଯ୍ଯଟନ କଂପ୍ଲେକ୍ସ, ଜଗନ୍ନାଥ ବଲ୍ଲଭ, ପୌର କଲ୍ୟାଣ ମଣ୍ଡପ ଓ ରେଳବାଇ କଲ୍ୟାଣ ମଣ୍ଡପରେ ସରକାରଙ୍କ ପକ୍ଷରୁ ହବିଷିଆଳିଙ୍କ ପାଇଁ କେନ୍ଦ୍ର କରାଯାଇଥିଲା ।
ଆଜି ଛାଡ଼ଖାଇ
ଅନ୍ଯପଟେ ଆଜି ଛାଡ଼ଖାଇ । ମାସକ ଯାକ କାର୍ତ୍ତିକ ଧର୍ମ ପାଳନ ପରେ ଆଜି ଆମିଷ ଖାଇବେ ଲୋକେ । ଏଥିପାଇଁ ଆମିଷ ଦୋକାନରେ ସକାଳୁ ସକାଳୁ ଲୋକଙ୍କ ଭିଡ଼ ଜମିଛି । ଆଜି ଶନିବାର ଥିବାରୁ ଗହଳି ଟିକିଏ କମ୍ ରହିଛି । ତଥାପି ଆମିଷ କିଣିବା ପାଇଁ ଦୋନାକରେ ପହଞ୍ଚିଛନ୍ତି ଲୋକେ । ଆସନ୍ତାକାଲି ରବିବାରରେ ଅଧିକ ବେପାର ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ । ଛାଡ଼ଖାଇ ଯୋଗୁ ଆମିଷ ଦର ଆକାଶ ଛୁଆଁ ରହିଛି । ଏକ ମାସ ପରେ ଆମିଷ ଖାଇବାକୁ ମିଳୁଥିବାରୁ ଲୋକେ ଦୋକାନରେ ଭିଡ଼ ଜମାଇଛନ୍ତି ।