ଆଜି ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ: ବେଲଭ୍ୟୁରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ବ୍ରୋଞ୍ଜ ନିର୍ମିତ ଭାସ୍କର୍ଯ୍ୟକୁ କରିବେ ଲୋକାର୍ପଣ

କଟକ: ଆଜି ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ । ଉତ୍କଳ ଦିବସ ଅବସରରେ ବେଲଭ୍ୟୁରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ବ୍ରୋଞ୍ଜ ନିର୍ମିତ ଭାସ୍କର୍ଯ୍ୟକୁ ଲୋକାର୍ପଣ କରିବେ ନବୀନ ପଟ୍ଟନାୟକ । ଏହି ପ୍ରତିମୂର୍ତ୍ତି ହେଉଛି କଟକ ଗସ୍ତ ସମୟରେ କାଠଯୋଡି ନଦୀ ପଠାରେ ଗାନ୍ଧୀ କରିଥିବା ବୈଠକର । ସେହି ସମୟର ଦୃଶ୍ୟପଟକୁ ନେଇ ତିଆରି ହୋଇଛି ସୁନ୍ଦର ବ୍ରୋଞ୍ଜ ଭାସ୍କର୍ଯ୍ୟ ।

୨୫ ଫୁଟ ଓସାର ଏବଂ ୧୨ ଫୁଟ ଉଚ୍ଚତାର ଏହି ପ୍ରତିମୂର୍ତ୍ତି ତିଆରି କରିଛନ୍ତି ଲକ୍ଷ୍ମୀଧର ରଣା । ଗାନ୍ଧିଜୀଙ୍କ ଓଡ଼ିଶା ଆଗମନକୁ ଶହେ ବର୍ଷ ପୂରଣ ଅବସରରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସହରର ପ୍ରବେଶ ପଥ ବେଲଭ୍ୟୁ ଛକରେ ଏହାକୁ ସ୍ଥାନିତ କରାଯାଇଛି । ବେଲଭ୍ୟୁ ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିକଟରେ ଏକ ସୁନ୍ଦର ୱାଟର ଫାଉଣ୍ଟେନ ସହ ଏକ ଆମ୍ପି ଥିଏଟର ମଧ୍ୟ କରାଯାଇଛି । ସେହିପରି କ୍ୟାଣ୍ଟନମେଣ୍ଟ ରୋଡ଼ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଏକ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ମଧ୍ୟ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Leave A Reply

Your email address will not be published.