୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀବିଗ୍ରହ

puri snana purnimaପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ଲକ୍ଷ ଲକ୍ଷ ଲୋକଙ୍କ ସମାଗମ। ଆଜି ପହଣ୍ଡିରେ ଆସି ସ୍ନାନବେଦୀରେ ବିଜେ ହେବେ ଚତୁର୍ଦ୍ଧା ମୂର୍ତ୍ତି। ଏଥିପାଇଁ ଭୋରରୁ ନୀତିକାନ୍ତି ଆରମ୍ଭ ହୋଇଛି । ମଙ୍ଗଳାର୍ପଣ ପରେ ଧାଡି ପହଣ୍ଡିରେ ତିନି ଠାକୁରଙ୍କୁ ସ୍ନାନବେଦୀକୁ ଅଣାଯାଉଛି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀବିଗ୍ରହ। ପହଣ୍ଡି ପରେ ଦିନ ୮ଟାରେ ଆରମ୍ଭ ହେବ ମଙ୍ଗଳ ଆଳତୀ। ଆଜି ୧୨ଟାରୁ ସ୍ନାନ, ଅପରାହ୍ନ ୩ଟାରେ ଛେରା ପହଁରା ଓ ୪ଟାରୁ ମହାପ୍ରଭୁ ହାତୀବେଶରେ ଦର୍ଶନ ଦେବେ। ଆଜି ରାତି ୭ଟାରୁ ରାତି ୯ଟା ୩୦ ମଧ୍ୟରେ ସାହାଣମେଲା ଦର୍ଶନ କାର୍ୟ୍ୟକ୍ରମ ରହିଛି।

kada surakhyaସ୍ନାନଯାତ୍ରା ବେଳେ ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା, ପାର୍କିଂ, ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ମୁତୟନ ହୋଇଛନ୍ତି ୪୨ ପ୍ଲାଟୁନ୍ ଫୋର୍ସ। ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱରେ ଅଛନ୍ତି ୩ ଜଣ କମାଣ୍ଡାଣ୍ଟ, ୯ ଅତିରିକ୍ତ ଏସପି, ୧୫ ଜଣ ଡିଏସପି। ଏହାସହ କୁଇକ୍ ଆକ୍ସନ ଟିମ୍, ସନ୍ଧାନୀ କୁକୁର, ବମ୍ ସ୍କ୍ଵାଡ୍ ମଧ୍ୟ କଡା ନଜର ରଖିଛନ୍ତି। ମନ୍ଦିର ଭିତରେ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡ୍, ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ସାରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

hati besaସ୍ନାନ ପରେ ମହାପ୍ରଭୁ ଭକ୍ତଙ୍କୁ ହାତୀ ବେଶରେ ଦର୍ଶନ ଦେବେ। ପରମ୍ପରା ଅନୁଯାୟୀ ପୁରୀର ପୁରାତନ ଗୋପାଳ ତୀର୍ଥ ମଠ ଓ ରାଘବ ଦାସ ମଠ ହାତୀବେଶ ପ୍ରସ୍ତୁତ କରିଥାନ୍ତି। ଗୋପାଳତୀର୍ଥ ମଠ ସୁଦର୍ଶନ ଓ ବଳଭଦ୍ରଙ୍କର ହାତୀ ବେଶ ପ୍ରସ୍ତୁତ କରୁଥିବାବେଳେ ରାଘବ ଦାସ ମଠ ଜଗନ୍ନାଥ ଓ ସୁଭଦ୍ରାଙ୍କ ବେଶ ପ୍ରସ୍ତୁତ କରିଥାନ୍ତି। ଅକ୍ଷୟତୃତୀୟାଠାରୁ ଏହି ବେଶ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇ ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ଶେଷ ହୋଇଥାଏ। ଏହି ବେଶକୁ ସଂପନ୍ନ କରିବାକୁ ପ୍ରାୟ ୮ରୁ ୧୦ ଜଣ କାରିଗର ଲାଗିଥାନ୍ତି। ପରଂପରା ଅନୁଯାୟୀ ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ପୀଡ଼ିତ ମହାପ୍ରଭୁ ଅଣସର ଘରକୁ ପ୍ରବେଶ କରିବେ। ଜୁଲାଇ ୧୩ରେ ନବଯୌବନ ଦର୍ଶନ ଓ ୧୪ରେ ରଥଯାତ୍ରା ଅନୁଷ୍ଠିତ ହେବ।

You might also like