ଭୁବନେଶ୍ୱର : ପାର୍ବଣ ଋତୁର ପ୍ରଥମ ପୂଜା । ଆଜି ବିଘ୍ନ ବିନାଶକଙ୍କ ଆବାହନ । ଗଣେଶ ପୂଜା ପାଇଁ ସାରା ଦେଶ ଉତ୍ସବ ମୁଖର । ଚାରିଆଡ଼େ ଆଧ୍ୟାତ୍ମିକତାର ମହମହ ବାସ୍ନା । ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ଦିନ ବିନାୟକ ବ୍ରତ ପାଳିତ ହୁଏ । ଦେବଦେବୀଙ୍କ ପୂଜା ବା ଉତ୍ସବ, ଅନ୍ୟ କୌଣସି ଧାର୍ମିକ ବା ମାଙ୍ଗଳିକ କାର୍ଯ୍ୟ, ଗଣେଶଙ୍କ ପୂଜା ବ୍ୟତୀତ ଆରମ୍ଭ କରାଯାଏ ନାହିଁ । ତେଣୁ ସମସ୍ତ କାର୍ଯ୍ୟରେ ସେ ଅଗ୍ରପୂଜ୍ୟ । ମହାପ୍ରଭୁ ଗଜାନନ ଧରାକୁ ଆସିଥିବାରୁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ପ୍ରଭୁଙ୍କ ସ୍ବାଗତକୁ ନେଇ ଗଗନ ପବନ ଉତ୍ସବ ମୁଖର ହୋଇଥିବା ଦେଖିବାକୁ ମିଳିଛି । ବିଘ୍ନରାଜ ବା ବିଘ୍ନେଶ ହୋଇଥିବାରୁ ଗଣେଶଙ୍କୁ ପୂଜା କରି ଯେକୌଣସି କାର୍ଯ୍ୟର ଶୁଭାରମ୍ଭ କଲେ ତାହା ନିର୍ବିଘ୍ନରେ ସମାପ୍ତ ହୋଇଥାଏ । ବିଶେଷ କରି ଓଡ଼ିଶାର ପୁରପଲ୍ଲୀରେ ଏହି ପୂଜା ପରମ୍ପରା ଓ ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ ।
ସେହିପରି ଆଜି ସ୍କୁଲ, କଲେଜ ସହ ବିଭିନ୍ନ ଅନୁଷ୍ଠାନରେ ପୂଜା ପାଇବେ ଅଗ୍ରପୂଜ୍ୟ । ବିଭିନ୍ନ କ୍ଳବରେ ଆୟୋଜିତ ହୋଇଛି ଗଣେଶ ପୂଜା । ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ପୂଜା ମଣ୍ଡପରେ ସୁଉଚ୍ଚ ତୋରଣ ନିର୍ମାଣ ହୋଇଛି । ଚଳିତ ବର୍ଷ ଭୁବନେଶ୍ବରରେ ୫୦ ରୁ ଅଧିକ ମଣ୍ଡପରେ ପୂଜା ପାଇବେ ପ୍ରଭୁ ବିଘ୍ନେଶ୍ୱର । ସୁନ୍ଦର ସାଜସଜା କରାଯାଇଛି। ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଚାରିଆଡ଼ । ଭୁବନେଶ୍ୱର ନୟାପଲ୍ଲୀ ନୂଆସାହି ର ଆଖଣ୍ଡଳମଣି ସେବା ସଂସଦ ଆନୁକୁଲ୍ୟରେ ଗଣେଶ ପୂଜା ପାଇଁ ମହାଆଡମ୍ୱର ରେ ପ୍ରସ୍ତୁତି ସରିଛି ।