ଆଜି ପବିତ୍ର ଧନୁ ସଂକ୍ରାନ୍ତି, ମହାପ୍ରଭୁଙ୍କ ନିକଟରେ ଲାଗି ହୋଇଥାଏ ବିରି ଓ ଗହମରେ ପ୍ରସ୍ତୁତ ଭୋଗ
ପୁରୀ : ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ପହିଲି ଭୋଗ ନୀତି । ଦୀର୍ଘ ଏକମାସ ଧରି ଅନୁଷ୍ଠିତ ହେବାକୁ ଥିବା ପହିଲି ଭୋଗରେ ବିରି, ଗହମ ଚୂନାରେ ଘୃତ ପାଗ ହୋଇଥିବା ପିଠା ଓ ଧନୁ ମୂଆଁ ମହାପ୍ରଭୁଙ୍କ ପାଖରେ ଲାଗି ହେବ । ତେବେ ଗୋପାଳବଲ୍ଲଭ ସମୟରେ ଏହି ପହିଲି ଭୋଗ ନୀତି ହୋଇଥାଏ । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ରାତ୍ର ୨ଟାରୁ ଶ୍ରୀମନ୍ଦିର ଦ୍ବାରଫିଟା ଯାଇ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ସହ ଅନ୍ୟାନ୍ୟ ନୀତି କାନ୍ତି ବଢ଼ି ୫ଟା ୩୦ ରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ସମ୍ପନ୍ନ ହେବ ।
କଥିତ ଅଛି ମା ମହାଲକ୍ଷ୍ମୀ ଧନୁ ସଂକ୍ରାନ୍ତି ଠାରୁ ଦୀର୍ଘ ଏକମାସ ଧରି ନିଜ ପିତ୍ରାଳୟକୁ ଯାଇଥାନ୍ତି । ତେଣୁ ଶ୍ରୀମନ୍ଦିରରେ ମା ଲକ୍ଷ୍ମୀଙ୍କ ଅନୁପସ୍ଥିତ ବେଳେ ମା ଯଶୋଦା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପୂର୍ବ ଦିନ ପର୍ଯ୍ୟନ୍ତ ପହିଲି ଭୋଗ ପ୍ରସ୍ତୁତ ହୋଇଥାଏ । ତେବେ ପହିଲି ଭୋଗ ହେଉଛି ମହାପ୍ରଭୁଙ୍କ ଆଦ୍ୟ ଭୋଗ । ଯାହାକି କାଉ କା କରିବା ପୂର୍ବରୁ ଏହା ମହାପ୍ରଭୁଙ୍କ ପାଖରେ ଲାଗି କରାଯାଇଥାଏ ।
ବିରି ଓ ଗହମରେ ପ୍ରସ୍ତୁତ ୨୩ ପ୍ରକାରର ପିଠାପଣା ଶ୍ରୀଜୀଉଙ୍କ ନିକଟରେ ଲାଗି କରାଯାଇଥାଏ । ଏଥିସହ ପହିଲି ଭୋଗରେ ମୁଖ୍ୟତଃ ବଡଝିଲି, ଅମାଲୁ, ଗଇଣ୍ଠା, ଆରିସା, କାକରା, ମଣ୍ଡା, ଚଢ଼େଇନେଦା ଓ ବଡ଼ି ଆଦି ଭୋଗ କରାଯାଇଥାଏ । ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କ ଅବକାଶ ଓ ମଙ୍ଗଳ ଆଳତୀ ବଢିବା ପରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି କରାଯିବ । ଏହି ଅବସରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଲାଗି ରହିଛି ।