ଆଜି ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା: ଜେନାଖାଲରେ ମାଆଙ୍କ ଗୁପ୍ତପୂଜା ସମ୍ପନ୍ନ, ସମଗ୍ର ସହରରେ ୧୪୪ ଧାରା ଜାରି

କଳାହାଣ୍ଡି(କେନ୍ଯୁଜ୍): କରୋନା କଟକଣାରେ ସମ୍ପନ୍ନ ହୋଇଛି ଆଦିଶକ୍ତି ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା। ମାନସିକଧାରୀଙ୍କ ଆସ୍ଥା, ବିଶ୍ୱାସ ଓ ଭକ୍ତି ଭାବନାରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଆରଧାନା ଓ ଉପାସନା ଅତ୍ୟନ୍ତ ନିଆରା। ମଧ୍ୟରାତ୍ରିରେ ସମସ୍ତ ଗୁପ୍ତପୂଜା ବିଧି ଶେଷ ହେବା ପରେ ଆଜି ଭୋର ୫ଟାରେ ମା’ଙ୍କ ଛତର ଜେନାଖାଲ ଅଭିମୁଖେ ବାହାରିଥିଲା। ସେଠାରେ ମା’ଙ୍କ ଗୁପ୍ତପୂଜା କରାଯାଇଛି।

ଏହପାରେ ଜେନାଖାଲରୁ ମା’ଙ୍କ ଛତର ଯାତ୍ରା ମନ୍ଦିର ଅଭିମୁଖେ ଆସିଥିଲା। କୋଭିଡ଼ ଗାଇଡ଼ ଲାଇନ ଅନୁସାରେ ବିନା ଶ୍ରଦ୍ଧାଳୁରେ କେବଳ ପୂଜକ ଗହଣରେ ଜେନାବାଦ୍ୟ ଓ ଘୁମୁରା ତାଳେ ତାଳେ ମା’ଙ୍କ ଛତର ବିଜେ କରିବେ। କାଲି ରାତି ୮ଟାରୁ ସମଗ୍ର ସହରରେ ୧୪୪ ଧାରା ଜାରି ହୋଇଛି। ବୁଧବାର ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜାରି ରହିବ ୧୪୪ ଧାରା। ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଶ୍ରଦ୍ଧାଳୁମାନେ ଛତରଯାତ୍ରାର ସିଧାପ୍ରସାରଣ ଟିଭିରେ ଦେଖିବାର ବ୍ୟବସ୍ଥା କରାଯାଇଛି। ଏହିଦିନ ପୋଡ ବଳି, ବୋଦା ବଳି ଆଦି ଦିଆଯିବାର ପରମ୍ପରା ରହିଛି।

ସୂଚନା ଥାଉକି, ସାରା ରାଜ୍ଯରେ ଏବେ ଚାଲିଛି ପାର୍ବଣ ଋତୁ । ଆଜି ମଣ୍ଡପରେ ଜଗତଜନନୀ ମାଆ ଦୁର୍ଗାଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ବିଲ୍ଵବରଣ ପରେ ମାଆଙ୍କ ଚକ୍ଷୁଦାନ କରାଯାଇଛି। ଏପଟେ ପୀଠରେ ମାଆଙ୍କ ମହାନବମୀ ପୂଜା ଚାଲିଛି। ବେଦମନ୍ତ୍ର ପାଠରେ କମ୍ପୁଛି ପରିବେଶ। ହେଲେ କରୋନା କଟକଣା ପାଇଁ ଭକ୍ତମାନେ ମଣ୍ଡପକୁ ଯାଇ ଦର୍ଶନ କରିପାରୁନାହାଁନ୍ତି। ଆଜି ମହାଷ୍ଟମୀରେ ଭକ୍ତମାନେ ଉପବାସ ରଖି ମାଆଙ୍କ ଆରାଧନା କରୁଛନ୍ତି। ବାହାରୁ ରହି ମାଆଙ୍କ ଆଶିଷ ଲାଭ କରୁଛନ୍ତି।

ସେହିପରି ପାର୍ବଣରେ ଭିଡ଼ ରୋକିବା ପାଇଁ ଟ୍ବିନ୍  ସିଟିରେ କଡ଼ା ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି । ପୂଜାକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ଗତ ଦୁଇ ଦିନ ହେବ କଟକ, ଭୁବନେଶ୍ୱରରେ ରାତି ଆଠଟାରୁ ଲାଗୁ ହେଇଛି ନାଇଟ କର୍ଫ୍ୟୁ । ରାତି ୮ଟାରୁ ସକାଳ ୫ଟା ଯାଏ ଜାରି ରହିବ ନାଇଟ କର୍ଫ୍ୟୁ। କଟକରେ ମୁତୟନ ହେଇଛନ୍ତି ୩୨ ପ୍ଲାଟୁନ ଫୋର୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.