ଆଜି ପବିତ୍ର ପଣା ସଂକ୍ରାନ୍ତି, ଓଡ଼ିଆ ପରମ୍ପରାରେ ଆଜିଠାରୁ ନୂଆବର୍ଷ ଆରମ୍ଭ

ଭୁବନେଶ୍ୱର (କେ.ନ୍ୟୁଜ): ଆଜି ପବିତ୍ର ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ପରମ୍ପରାରେ ଆଜିଠାରୁ ଆରମ୍ଭ ହୋଇଛି ନୂଆବର୍ଷ। ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ଶେଷ ହୁଏ । ଜ୍ୟୋତିଷ ଗଣନା ଅନୁସାରେ ଆଜି ମେଷ ସଂକ୍ରାନ୍ତି । ଓଡ଼ିଶାରେ ଆଜିଠାରୁ ଆରମ୍ଭ ହୁଏ ନୂଆ ପାଞ୍ଜି ପ୍ରଚଳନ।

ଆଜି ମଧ୍ୟ ସମଗ୍ର ଓଡ଼ିଶାରେ ପାଳିତ ହେଉଛି ହନୁମାନ ଜୟନ୍ତୀ । ଶ୍ରଦ୍ଧାଳୁ ହନୁମାନ ମନ୍ଦିରରେ ୧୦୮ ହନୁମାନ ଚାଳିଶା ପାଠ କରି ନିଜ ମନସ୍କାମନା ପୂରଣ କରନ୍ତି । ଆଜି ଘର ଅଗଣାରେ ଥିବା ତୁଳସୀ ଚଉଁରା ଉପରେ ଏକ ଛାମୁଣ୍ଡିଆ କରି ପାଣିଭର୍ତ୍ତି ଏକ ଛୋଟ ଠେକି ରଖାଯାଏ । ଠେକିରେ ଥିବା ଛୋଟ ଛିଦ୍ର ଦେଇ ପାଣି ତୁଳସୀ ଗଛରେ ପଡ଼େ।

ଆଜି ଦିନରେ ଲୋକମାନେ ଶିବ ମନ୍ଦିର, ସୂର୍ଯ୍ୟ ମନ୍ଦିର ଓ ଦେବୀ ମନ୍ଦିର ଯାଇ ଦର୍ଶନ କରିଥାନ୍ତି । ବିଶେଷ କରି ମା’ ତାରିଣୀ ପୀଠରେ ଉତ୍ସବ ପାଳନ ହୋଇଥାଏ। କଟକ ଚଣ୍ଡୀ ମନ୍ଦିର, ଯାଜପୁରର ବିରଜା ମନ୍ଦିର, ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର, କେନ୍ଦୁଝରର ମାଆ ଘଟଗାଁ ତାରିଣୀ, ଗଞ୍ଜାମର ତାରାତାରିଣୀ ମନ୍ଦିରରେ ଅଧିକ ଭିଡ଼ ଦେଖିବାକୁ ମିଳିଥାଏ । ଚଳିତ ବର୍ଷ କିନ୍ତୁ ରାଜ୍ୟର ଅଧିକାଂଶ ସ୍ଥାନରେ ଭକ୍ତଙ୍କ ଦର୍ଶନ ଉପରେ ଲାଗିଛି କଟକଣା । କେବଳ ରୀତିନୀତି ରକ୍ଷା କରି କରି ମନ୍ଦିରରେ ପୂଜାର୍ଚ୍ଚନା ଚାଲିଛି । ପଣା ସଂକ୍ରାନ୍ତିରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଲିଥିବା ଝାମୁଯାତ୍ରା ଶେଷ ହୋଇଥାଏ । ଦକ୍ଷିଣ ଓଡ଼ିଶାରେ ପଣା ସଂକ୍ରାନ୍ତି ଦିନ ଦଣ୍ଡନାଟ ଉତ୍ସବ ଉଦ୍‌ଯାପିତ ହୁଏ । ଏଥର କିନ୍ତୁ ଦଣ୍ଡନାଚ ଉପରେ ମଧ୍ୟ କଟକଣା ଲାଗିଯାଇଥିଲା ।

ଆଜି ଦିନର ଆଉ ଏକ ବିଶେଷତ୍ୱ ହେଉଛି ବେଲ ପଣା। ଓଡ଼ିଶାର ବିଭିନ୍ନ ସ୍ଥାନ ଓ ଦେବାଳୟରେ ପଣା ବଣ୍ଟନ କରାଯାଇଥାଏ। ତେବେ ଏଥରକ କିନ୍ତୁ ଉତ୍ସବ ଫିକା ପଡିଛି । ସର୍ବସାଧାରଣରେ ପଣା ବଣ୍ଟନ ଉପରେ ଲାଗିଛି କଟକଣା । ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ମହାବୀର ଜୟନ୍ତୀ ପାଳିତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.