ଆଜି ଝାରସୁଗୁଡ଼ାର ଜନ୍ମ ଦିବସ, ଜାନୁଆରି ପହିଲାରେ ଜିଲ୍ଲା ମାନ୍ୟତା ପାଇଥିଲା ଝାରସୁଗୁଡ଼ା
ଝାରସୁଗୁଡ଼ା: ଆଜି ହେଉଛି ଝାରସୁଗୁଡ଼ାର ଜନ୍ମ ଦିବସ । ନୁଆବର୍ଷରେ ଲୋକେ କେତେ ଖୁସି ମନାଉଥିବା ବେଳେ ଝାରସୁଗଡ଼ା ବାସୀ ନିଜ ଜିଲ୍ଲାର ଜନ୍ମ ଦିବସ ପାଇଁ ବେଶ୍ ଖୁସି ଅଛନ୍ତି । ୧୯୯୪ ମସିହା ଜାନୁଆରି ପହିଲାରେ ଜିଲ୍ଲା ମାନ୍ୟତା ପାଇଥିଲା ଝାରସୁଗୁଡ଼ା। ଆଜି ଏହି ଗୌରବମୟ ଦିବସକୁ ୩୧ ପୁରି ରି ୩୨ ଚାଲିଲା । ପ୍ରଶାସନ ବି ଜିଲ୍ଲା ପ୍ରତିଷ୍ଠା ଦିବସକୁ ବେଶ୍ ଆଡ଼ମ୍ବର ସହିତ ପାଳନ କରିବା କଥା କିନ୍ତୁ ଜିଲ୍ଲା ଗଠନ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଦେଖିଥିବା ବିକାଶର ଯାତ୍ରା ଏବେ ବି ଲକ୍ଷ୍ୟସ୍ଥଳରୁ ବହୁଦୂରରେ ।
ଖଣି ଖାଦାନରେ ଭରା ଶିଳ୍ପାନ୍ନତ ଝାରସୁଗୁଡ଼ା ଜିଲ୍ଲା ଏବେ ଯୁବାବସ୍ଥାରେ ଉପନୀତା ରାଜନୈତିକ ଓ ପ୍ରଶାସନିକ କ୍ଷେତ୍ରରେ ବି ଜିଲ୍ଲାର ଅବଦାନ ନ ଢେର ଅଧିକା କିନ୍ତୁ ଏବେ ବି ଶିକ୍ଷା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଝାରସୁଗୁଡ଼ାବାସୀ । ତେବେ ନିକଟ ଅତୀତରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା କିଛି ପଦକ୍ଷେପ ଚଳିତ ବର୍ଷ ଜିଲ୍ଲାରେ ଲାଗି ରହିଥିବା ଶିକ୍ଷା କ୍ଷେତ୍ରରେ ସମସ୍ୟାକୁ ଦୂର କରିବା ନେଇ ଜିଲ୍ଲାବାସୀ ଆଶାବାଦୀ ରହିଛନ୍ତି ।
ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ଶାସନ କାଳରେ ସମ୍ବଲପୁରରୁ ଅଲଗା ହୋଇ ଝାରସୁଗୁଡ଼ା ନୂତନ ଜିଲ୍ଲାର ମାନ୍ୟତା ପାଇଥିଲା । ଆଜି ଶିଳ୍ପାୟନ ସାଙ୍ଗକୁ ରାଜ୍ୟର ଦ୍ବିତୀୟ ବିମାନ ବନ୍ଦର ହୋଇପାରିଛି । କିନ୍ତୁ ଉଚ୍ଚଶିକ୍ଷା, ବେକାରୀ ସମସ୍ୟାର ସମାଧାନ, ସ୍ଥାନୀୟ ନିଯୁକ୍ତି, ବିସ୍ଥାପନ, କ୍ଷତିପୂରଣ, ଜଳସେଚନ, ପରିବେଶ ପ୍ରଦୂଷଣ ଭଳି ସମସ୍ୟା ବିକାଶର ମାର୍ଗରେ ବାଧକ ସାଜିଛି । ଜିଲ୍ଲାରେ ହୀରାକୁଦ ଜଳଭଣ୍ଡାର ରହିଥିଲେ ସୁଦ୍ଧା ଚାଷୀଙ୍କ କ୍ଷେତକୁ ଜଳସେଚନ ହୋଇପାରୁନି । ଜିଲ୍ଲାର କୌଣସି ଡିଗ୍ରି କଲେଜକୁ ଅଦ୍ୟାବଧି ସରକାରୀ ମାନ୍ୟତା ମିଳିପାରିନାହିଁ ।
ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଭିତ୍ତଭୂମି ଗଢ଼ି ଦିଆଯାଇଛି କିନ୍ତୁ ଡାକ୍ତର ତଥା କର୍ମଚାରୀ ଅଭାବ ସାମାନ୍ୟ ଅଲଟ୍ରାସାଉଣ୍ଡ ବି କରିବାକୁ ଗରିବ ଲୋକଙ୍କୁ ପକେଟ୍ରୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । କାର୍ଡିଆକ୍ କେୟାର ସ୍ପିଟାଲ ଖୋଲା ଦିଆଯାଇଥିଲେ ବି ଏଠାରେ ରୋଗୀଙ୍କୁ କେବଳ ଚିକିତ୍ସା ଦନ୍ତ ମିଳୁଛି । କାରଖାନାର ଦୂଷିତ ପାଣି ଓ ବର୍ଜ୍ୟ ପାଇଁ ନଦୀ, ନାଳ, ଚାଷଜମି ପ୍ରଦୂଷିତ ହେଉଥିବା ବେଳେ ବିଷ ବଳୟରେ ଝାରସୁଗୁଡ଼ାବାସୀ ଅଣନିଶ୍ବାସୀ ହୋଇଗଲେଣି । ୪୯ ନଂ ଜାତୀୟ ରାଜପଥରେ ବିପଦ ଶଙ୍କୁଳ ଅବସ୍ଥାରେ ରହିଥିବା ଇବ୍ ନଦୀରେ ଦ୍ଵିତୀୟ ପୋଲ ନିର୍ମାଣ ମଧ୍ୟ ବିଳମ୍ବିତ ହୋଇଚାଲିଛି । କିନ୍ତୁ ଉଭୟ ପ୍ରକଳ୍ପର କାର୍ଯ୍ୟାନ୍ବୟନ ଏବେ ବି କାଗଜରେ ହିଁ ସୀମିତ ରହିଯାଇଛି ।