ମା ବୁଢ଼ୀ ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରାର ଆଜି ସମାପନ ଦିବସ
ବ୍ରହ୍ମପୁରରେ ଚାଲିଥିବା ମା ବୁଢ଼ୀ ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରର ଆଜି ହେଉଛି ସମାପନ ଦିବସ। ୨୮ ଦିନ ବ୍ୟାପୀ ମା ନିଜ ବାପ ଘରେ ରହିବା ପରେ ଆଜି ଫେରିଯିବେ ଶାଶୂଘର। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।
ବ୍ରହ୍ମପୁର: ବ୍ରହ୍ମପୁରରେ ଚାଲିଥିବା ମା ବୁଢ଼ୀ ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରର ଆଜି ହେଉଛି ସମାପନ ଦିବସ। ୨୮ ଦିନ ବ୍ୟାପୀ ମା ନିଜ ବାପ ଘରେ ରହିବା ପରେ ଆଜି ଫେରିଯିବେ ଶାଶୂଘର। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ସେପଟେ ଗତକାଲି ସନ୍ଧ୍ୟାରେ ଟି ସଚିବ ଭି କେ ପାଣ୍ଡିଆନ ଯାତ୍ରା ମଣ୍ଡପରେ ମାଙ୍କ ଦର୍ଶନ କରିବା ସହ ମୁଖ୍ୟ ମନ୍ଦିର ଯାଇ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟ କରଣ କିପରି ହୋଇ ପାରିବ ତାହା ଅନୁଧ୍ୟାନ କରିଥିଲେ।
ଏପଟେ ମାଁ ସାଆନ୍ତାଣୀଙ୍କ ଯାତ୍ରାକୁ ନେଇ ବ୍ରହ୍ମପୁର ସହର ଖୁବ ଚଳ ଚଞ୍ଚଳ । ଯାତ୍ରା ସରିବାକୁ ଚାରି ଦିନ ପୂର୍ବରୁ ବାହାରିଥାଏ ସାମୂହିକ ବେଶ । ଯାତ୍ରା ଆରମ୍ଭରୁ ବ୍ରହ୍ମପୁର ସହରରେ ଗହଳିଚହଳି ଲାଗିରହେ କିନ୍ତୁ ଶେଷ ସପ୍ତାହ କୁ ଯାତ୍ରାର ମଜା ଜମିଥାଏ। ଏକକ ବେଶ ଓ ସାମୁହିକ ବେଶଧାରୀଙ୍କ ସାହି ପରିକ୍ରମା ହିଁ ମୁଖ୍ଯ ଆକର୍ଷଣ ପାଲଟିଥାଏ ।
ସୂଚନା ଥାଉକି, ବ୍ରହ୍ମପୁର ସହରର ଏହି ଠାକୁରାଣୀ ଯାତ୍ରା ୩ଶହ ବର୍ଷ ପୁରୁଣା । ସହର ବାସିନ୍ଦାଙ୍କ ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ି ସାଆନ୍ତାଣୀ ପରମ୍ପରା ପ୍ରକାରେ ପ୍ରତି ଦୁଇ ବର୍ଷକୁ ଥରେ ଦେଶୀ ବେହେରା ସାହିରେ ଥିବା ତାଙ୍କ ବାପ ଘରକୁ ବିଜେ କରିଥାନ୍ତି । ପ୍ରତି ଥର ଭଳି ଏଥର ମଧ୍ୟ ଘଂଟ, ତାଳ, ବାଜା, ବାଜଣାର ବିରାଟ ପଟୁଆରରେ ଶ୍ରଦ୍ଧାଳୁଙ୍କ ଗହଣରେ ବିଳମ୍ବିତ ରାତିରେ ମାଆ ବିଜେ କରିଥିଲେ । ପ୍ରତି ଦୁଇ ବର୍ଷକୁ ଥରେ ମାଆ ଯାଇଥାନ୍ତି ବାପଘରକୁ ।
ଇତିହାସକୁ ଦେଖିଲେ ମହୁରି ଗଡ଼ର ତତ୍କାଳୀନ ରାଜା ହରିହର ନରେନ୍ଦ୍ର ଦେବ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରିରୁ ଏହି ଘଟଯାତ୍ରା ପରମ୍ପରା ଆଣି ଏଠାରେ ଆରମ୍ଭ କରିଥିଲେ । ସେଠାରେ ଯାତ୍ରା କରୁଥିବା ପାଟରା ତଥା ତନ୍ତୀ ସଂପ୍ରଦାୟର କିଛି ଲୋକଙ୍କୁ ରଜା ସାଥୀରେ ଆଣି ତାହାର ମୁଖ୍ୟକୁ ଦେଶୀ ବେହେରା ଉପାଧି ଦେଇ ଯାତ୍ରା ପରିଚାଳନାର ଦାୟିତ୍ୱ ଦେଇଥିଲେ । ଆଉ ସେବେଠାରୁ ସେହି ବଂଶର ମୁଖ୍ୟ ଦେଶୀ ବେହେରା ନାମରେ ମାଆଙ୍କ ଯାତ୍ରାର ଆୟୋଜନ କରି ଆସୁଛନ୍ତି ଓ ତାଙ୍କୁ ହିଁ ବୁଢ଼ି ସାଆନ୍ତାଣିଙ୍କ ବାପା ରୂପେ ବିବେଚନା କରାଯାଉଛି ।
ଚଳିତ ଯାତ୍ରାରେ ବହୁ ଭକ୍ତ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ସଂସ୍କୃତି ଓ ପରମ୍ପରାର ପ୍ରତିକ ରୂପେ ଦୁଇ ବର୍ଷକୁ ଥରେ ପାଳିତ ହୋଇ ଆସୁଥିବା ଏହି ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ ହେଉ ଓ ସମସ୍ତଙ୍କର ମଙ୍ଗଳମୟ ହେଉ ବୋଲି ସମସ୍ତଙ୍କ ଆଶା।