ଉତ୍କର୍ଷ ଓଡ଼ିଶାର ଆଜି ଦ୍ବିତୀୟ ଦିନ, ପ୍ରଥମ ଦିନରେ ପ୍ରାୟ ୪ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି ମିଳିଛି

ଭୁବନେଶ୍ୱର : ନିବେଶ ମହାକୁମ୍ଭରେ ନିବେଶ ବର୍ଷା । ଉତ୍କର୍ଷ ଓଡ଼ିଶା, ମେକ୍ ଇନ ଓଡ଼ିଶା କନକ୍ଲେଭ-୨୦୨୫ର ଆଜି ଦ୍ବିତୀୟ ଦିନ । ପ୍ରଥମ ଦିନରେ ପ୍ରାୟ ୪ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି ମିଳିଛି । କନକ୍ଲେଭର ପ୍ରଥମାର୍ଦ୍ଧରେ ୫୪ଟି ଏମଓୟୁ ସ୍ବାକ୍ଷର ହୋଇଛି । ପ୍ରଥମ ଦିନରେ ପ୍ରାୟ ୮୦ଟି ଏମଓୟୁ ସ୍ବାକ୍ଷର ହେବା ସମ୍ଭାବନା ଥିବା କହିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା । କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଜେଏସଡବ୍ଲୁ । ନିବେଶ ହେବ ୩୫ ହଜାର କୋଟି । ୫ ମିଲିୟନ ଟନର ଏହି ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ବାକ୍ଷର କଲା କମ୍ପାନୀ ।
ଆଦାନି ଗ୍ରୁପ ନିବେଶ କରିବ ୨ଲକ୍ଷ ୨୮ ହଜାର କୋଟି ଟଙ୍କା । ଓଡ଼ିଶାକୁ ଆସୁଥିବା ସବୁଠାରୁ ବଡ଼ ନିବେଶ । ଆଦାନି ଗ୍ରୁପ ସିମେଣ୍ଟ, ଶକ୍ତି, ଆଲୁମିନା ଓ ସ୍ମେଲଟରରେ ନିବେଶ କରିବ । ଇଣ୍ଡଷ୍ଟ୍ରିଆଲ ପାର୍କ ପାଇଁ MOU କରିଛି କମ୍ପାନୀ । ରାୟଗଡ଼ାରେ ଆଲୁମିନିୟମ ପ୍ଲାଣ୍ଟ କରିବ ବେଦାନ୍ତ । ଜେଏସପିଏଲ ୭୦ ହଜାର କୋଟି, ବିର୍ଲା ଗ୍ରୁପ ୫୦ ହଜାର କୋଟି ନିବେଶ ଯୋଜନା ରଖିଛି । ଦୁଇ ଦିନର ମେଗା ନିବେଶ ଇଭେଣ୍ଟରେ ୫ ଲକ୍ଷ କୋଟିର ନିବେଶ ମିଳିବା ଆଶା ରହିଛି।ଶିଳ୍ପ ମହାକୁମ୍ଭରେ ଦେଶ ବିଦେଶର ଶିଳ୍ପ ପ୍ରତିନିଧି ଓ ନିବେଶକ ସାମିଲ ହୋଇଛନ୍ତି । ୭୫୦୦ରୁ ଅଧିକ ଶିଳ୍ପ ପ୍ରତିନିଧି ପଞ୍ଜୀକରଣ କରିଥିଲେ। ଦୁଇ ଦିନରେ ୧୦୦ ରୁ ଅଧିକ ଏମଓୟୁ ଏବଂ ୫ ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି ମିଳିବା ଆଶା ରହିଛି ।
ଆହୁରି ପଢନ୍ତୁ : ସଂସଦୀୟ ଦଳ ବୈଠକରେ ଗୁରୁମନ୍ତ୍ର ଦେଲେ ସୁପ୍ରିମୋ ନବୀନ ପଟ୍ଟନାୟକ, ସଂସଦରେ ଉଠିବ ସାଢେ ୪କୋଟି ଓଡିଆଙ୍କ ସ୍ବର