ଭୁବନେଶ୍ୱର : ସର୍ବଭାରତୀୟ ପୋଲିସ ଡିଜି-ଆଇଜି ସମ୍ମିଳନୀର ଆଜି ତୃତୀୟ ତଥା ଅନ୍ତିମ ଦିନ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଉଁ କେଉଁ ପ୍ରସଙ୍ଗ ଉତଥାପନ କରିବେ ତା ଉପରେ ନଜର ରହିଛି । ରାଜସ୍ଥାନ ଜୟପୁରରେ ହୋଇଥିବା ୨୦୨୩ ମସିହାର ଡିଜିପି ସମ୍ମିଳନୀରେ ୫ଟି ପ୍ରସଙ୍ଗ ଉପରେ ଫୋକସ କରିଥିଲେ ମୋଦି । ଏଥର କେଉଁ ପ୍ରସଙ୍ଗ ଉପରେ ଗୁରୁତ୍ବ ଦେବେ ତା ଉପରେ ନଜର ରହିଛି । ଆଜି ସମ୍ମିଳନୀରେ ଉଦଯାପନୀ ଭାଷଣ ରଖିବେ ପ୍ରଧାନମନ୍ତ୍ରୀ ।
ଗତକାଲି ଆତଙ୍କବାଦ ବିରୋଧୀ ରଣନୀତି, ଉପକୂଳ ସୁରକ୍ଷା,ଅପରାଧ ଆଇନ କାର୍ଯ୍ୟକାରିତା, ନିଶା କାରବାର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କ୍ଲୋଜ ଡୋର ମିଟିଂ କରିଥିଲେ । ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ଥିଲେ । ଏମାନଙ୍କ ସହ ଗୃହ ସଚିବ ଗୋବିନ୍ଦ ମୋହନ, ଆଇବି ନିର୍ଦେଶକ ତପନ କୁମାର ଡେକା, ର’ ସଚିବ ରବି ସିହ୍ନା , ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦ ପ୍ରମୁଖ ଉପସ୍ଥିତ ଥିଲେ । ଗତକାଲି ସମ୍ମିଳନୀରେ ପୂର୍ବୋତ୍ତର ରାଜ୍ୟ ପାଇଁ ସୁରକ୍ଷା ଚ୍ୟାଲେଞ୍ଜ, ବାହାର ଦେଶରୁ ଆସୁଥିବା ଶରଣାର୍ଥୀ ପ୍ରସଙ୍ଗ, ସହରାଞ୍ଚଳରେ ଅପରାଧ ଏବଂ ଗ୍ୟାଙ୍ଗଷ୍ଟରଙ୍କ ସଂଗଠିତ ଅପରାଧ ପ୍ରସଙ୍ଗରେ ଆଲୋଚନା ହୋଇଥିବା କୁହାଯାଉଛି । ଅପରାଧ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବା ଲାଗି ପ୍ରଧାନମନ୍ତ୍ରୀ ରୋକଠୋକ ଜଣାଇଥିଲେ । ଦୀର୍ଘ ୧୩ ଘଣ୍ଟା ଧରି କାଲି ସମ୍ମିଳନୀ ଚାଲିଥିଲା ।