ମହାମହିମଙ୍କ ଗସ୍ତର ୩ୟ ଦିନ, ଆଜି OUAT ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ
ଭୁବନେଶ୍ୱର : ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ-ଓୟୁଏଟିର ୪୦ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏଥିପାଇଁ ସଜେଇ ହୋଇଛି କ୍ୟାମ୍ପସ । ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ । ଆଜି ଦିନ ତମାମ ଭୁବନେଶ୍ବରରେ ରହିଛି ବିଭିନ୍ନ କାର୍ଯ୍ୟକ୍ରମ ।
ଗତକାଲି ପୁରୀରେ ନୌସେନା ଦିବସରେ ସାମିଲ ହେବା ପରେ ଏବେ ପୁରୀ ରାଜଭବନରେ ଅଛନ୍ତି ମହାମହିମ । ସକାଳ ୯ଟା ୩୫ରେ ଭୁବନେଶ୍ବର ଅଭିମୁଖେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବରରେ ପହଂଚିବା ପରେ ଦିନ ୧୧ଟାରେ ଓୟୁଏଟିର ୪୦ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ପ୍ରାୟ ଏକ ହଜାର ବ୍ୟକ୍ତିବିଶେଷ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ।
ମିଳିଥିବା ସୂଚନା ଅନୁଯାୟୀ, ଓୟୁଏଟି କ୍ୟାମ୍ପସରେ ରାଷ୍ଟ୍ରପତି ଏକ ଘଣ୍ଟା ବିତାଇବେ । ଏହାପରେ ରାଜଭବନ ଯାଇ ବିଶ୍ରାମ କରିବେ । ପୁଣି ସନ୍ଧ୍ୟାରେ ନୂଆ ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସର ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବେ । ଆସନ୍ତାକାଲି ମୟୂରଭଞ୍ଜ ଗସ୍ତରେ ଯିବେ ମହାମହିମ । ରାଷ୍ଟ୍ରପତିଙ୍କ ପାଇଁ ବ୍ଲୁ ବୁକ୍ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ହୋଇଛି । ରାଷ୍ଟ୍ରପତି ଯିବା ରାସ୍ତାକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ୩ ଜଣ ଡିସିପି ରାଙ୍କର ଅଫିସର, ୧୫ ଜଣ ଆଡିସନାଲ DCP ରାଙ୍କର ଅଫିସର, ୪୫ ଏସିପି ରାଙ୍କର ଅଫିସର, ୨୦୦ ଜଣ ଇନ୍ସପେକ୍ଟର ଓ ସବ୍ ଇନ୍ସପେକ୍ଟର ରାଙ୍କର ଅଫିସର ଅଛନ୍ତି । ଟ୍ରାଫିକ ବ୍ୟବସ୍ଥାକୁ ମିଶାଇ ୪୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି ।