ଆଜି ବିଶ୍ୱ ପଖାଳ ଦିବସ : ତୋରାଣି ମୁନ୍ଦେ ପିଇଦେଲେ ଓଡ଼ିଆଙ୍କ ପାଟିରୁ ବାହାରି ଆସେ ‘ଓଃ କି ଶାନ୍ତି’….

ଆଜି ପଖାଳ ଦିବସ । ଓଡ଼ିଆଙ୍କ ପରିଚୟ ପଖାଳ । ସେ ଗାଁ ହେଉ କି ସହର, ପଖାଳ ବାସ୍ନା ସବୁବେଳେ ନିଆରା । ଖରାଦିନ ଆସିଲେ ଖୋଜାପଡ଼େ ପଖାଳ କଂସା । ପଖାଳ ହେଉଛି ସଭିଙ୍କର ପ୍ରିୟ ଖାଦ୍ୟ । ଯେତେ ଯାହା ଖାଇଲେ ବି ପଖାଳ ମୁଠେ ପେଟରେ ପଡ଼ିଗଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ, ତାହା ଅନ୍ୟ କେଉଁଥିରେ ମିଳେନାହିଁ ।
ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ । ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ରୂପେ ପାଳନ କରାଯାଉଛି । କଥାରେ ଅଛି, ‘ଝୁରି ହେଉଛି ଦିନକାଳ, ମନ ଖୋଜୁଛି ସେକାଳ ପଖାଳ’ । ଓଡ଼ିଆ ଜନଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା । ସାରା ବିଶ୍ବରେ ଥିବା ଓଡିଆମାନେ ପାଳନ କରିବେ ଏହି ପଖାଳ ଦିବସ । ଏକଦା ଗରୀବଙ୍କ ସହଜ ଖାଦ୍ୟ ଭାବେ ପରିଚିତ ଓଡ଼ିଆଙ୍କ ପ୍ରିୟ ପଖାଳ ଏବେ ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି ।
ସାଧାରଣତଃ ଗୀଷ୍ମଋତୁ ବା ଖରାଦିନେ ହିଁ ଓଡ଼ିଶାର ପ୍ରତ୍ୟେକ ଘରେ ପଖାଳର ଆସର ଦେଖିବାକୁ ମିଳିଥାଏ । ପଖାଳ ସାଙ୍ଗକୁ ବଡିଚୁରା କି ଭଜା ଟିକିଏ ହେଲେ ପୂରା ପେଟ ଶାନ୍ତି । କି ନେତା, କି ମନ୍ତ୍ରୀ । ସାନ-ବଡ଼, ଧନୀ ଗରିବ । ସବୁ ଭେଦଭାବକୁ ଭେଦ କରି ସମସ୍ତଙ୍କୁ ଏକାକାର କରିଦେଇଛି ପଖାଳ କଂସା । କିଏ ବିଲ ହୁଡ଼ାରେ ବସି ପଖାଳ ଖାଏ, ତ ଆଉ କିଏ ତାରକା ହୋଟେଲରେ ପଖାଳ ଖାଏ । ଖଟିଖିଆର ଭାତହାଣ୍ଡିରୁ ମନ୍ଦିର ଏପରିକି ସୌଖିନ ହୋଟେଲର ମେନ୍ୟୁରେ ସ୍ଥାନ ପାଇଛି ପଖାଳ ।
ସହର ଚାକଚକ୍ୟ ଏବଂ ଦେଶୀ, ବିଦେଶୀ ଖାଦ୍ୟପେୟ ଭିତରେ ବି ଲୋକେ ପଖାଳ ଖୋଜୁଛନ୍ତି । ବିଶେଷକରି ୨୦୧୧ରେ ପଖାଳ ଦିବସ ପାଳନ ଆରମ୍ଭ ହେବାଠାରୁ ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ପଖାଳର କ୍ରେଜ୍ ବେଶ୍ ଅଧିକ ଦେଖିବାକୁ ମିଳୁଛି । କଥା ହେଲା, କେବଳ ଓଡ଼ିଶାରେ ରହୁଥିବା ଓଡ଼ିଆ ନୁହଁନ୍ତି ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇବାକୁ କେବେ ଭୁଲନ୍ତି ନାହିଁ । ସୋସିଆଲ ମିଡିଆରେ ବି ଟ୍ରେଣ୍ଡ କରୁଛି ପଖାଳ ଦିବସ । ସେଲିବ୍ରିଟିଙ୍କଠୁ ଆରମ୍ଭ କରି ରାଜନେତା ଆଜି ଖାଉଛନ୍ତି ପଖାଳ । ପରେ ପରେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ଫଟୋ ।
ପଖାଳ ଶବ୍ଦ ପାଲି ଭାଷା ‘ପଖାଳିବା’ରୁ ଆସିଛି । ଯାହାର ଅର୍ଥ ଧୋଇବା । ଗରମ ଭାତ ଥଣ୍ଡା ହେବା ପରେ ତାକୁ ଧୋଇ ସେଥିରେ ପାଣି ମିଶାଇ ତିଆରି କରାଯାଉଥିବାରୁ ଏହାର ଏପରି ନାମକରଣ ହୋଇଛି । ବିଭିନ୍ନ ରାଜ୍ୟରେ ପଖାଳକୁ ଭିନ୍ନ ଭିନ୍ନ ନାମରେ ସମ୍ଭୋଧନ କରାଯାଇଥାଏ । ଆସାମରେ ଏହାକୁ ପୋଇତାଭାତ, ଛତିଶଗଡରେ ପଖାଳ ବା ବୋରେ ଭାତ,ପଶ୍ଚିମବଙ୍ଗରେ ପାନ୍ତା ଭାତ, ତାମିଲନାଡୁରେ ବଖାଳବାତ କୁହାଯାଇଥାଏ ।
ଆହୁରି ପଢ଼ନ୍ତୁ : ବଦଳିବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠ୍ୟପୁସ୍ତକ, ୨୦୨୬-୨୭ ଶିକ୍ଷାବର୍ଷରୁ ନୂଆ ପାଠ୍ୟପୁସ୍ତକ ପ୍ରଚଳନ ଲକ୍ଷ୍ୟ