ଆଜି ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଡେ’, ଦେଖାଯିବନି ନିଜ ଛାଇ
ଛାଇ ଆଲୁଅର ଖେଳ, ଉଭାନ ହେଇଯିବ ଛାଇ । ହଁ ଆଜ୍ଞା ଆଜି ହେଉଛି ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଡେ । ଉଭେଇଯିବ ଛାଇ । ଆଜି ଦିନ ୧୧ଟା ୪୩ରେ ଶୂନ୍ୟ ଛାୟା ସମୟ ରହିଛି ।

କେନ୍ୟୁଜ୍: ଛାଇ ଆଲୁଅର ଖେଳ, ଉଭାନ ହେଇଯିବ ଛାଇ । ହଁ ଆଜ୍ଞା ଆଜି ହେଉଛି ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଡେ । ଉଭେଇଯିବ ଛାଇ । ଆଜି ଦିନ ୧୧ଟା ୪୩ରେ ଶୂନ୍ୟ ଛାୟା ସମୟ ରହିଛି । କୁହାଯାଏ, ବର୍ଷରେ ଏମିତି ୨ ଦିନ ରହିଛି, ଯେଉଁଦିନ ଦିନ ଦ୍ୱିପ୍ରହରରେ କିଛି କ୍ଷଣ ପାଇଁ ଛାଇ ଦେଖାଯାଏ ନାହିଁ । ତେବେ ଏପ୍ରିଲରୁ ଜୁନ୍ ଏବଂ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ବର୍ଷକୁ ୨ଥର ଏହି ଶୂନ୍ୟ ଛାୟା ବା ଜିରୋ ସ୍ୟାଡୋ ଦିନ ହୋଇଥାଏ ।
ଏହି ୨ ଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରହିଥାନ୍ତି । ଆଉ ସେହି ସମୟରେ କାହାର ବି ଛାଇ ଦେଖାଯାଇନଥାଏ । ଏହି ଘଟଣାକୁ ଜ୍ୟୋର୍ତିବିଜ୍ଞାନୀମାନେ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଡେ’ ଭାବେ ନାମିତ କରିଛନ୍ତି । ପୃଥିବୀ ନିଜ କକ୍ଷ ପଥ ସହ ୨୩.୫ ଡିଗ୍ରୀ ଢଳି ରହିଛି । ଯାହାଫଳରେ ସୂର୍ଯ୍ୟ ସବୁ ଦିନ ସମାନ ସ୍ଥାନରୁ ଉଦୟ ହୋଇନ ଥାଏ କିମ୍ବା ସମାନ ସ୍ଥାନରେ ଅସ୍ତ ହୁଏ ନାହିଁ ।
ତେବେ ୨୧ ମାର୍ଚ୍ଚ ଠାରୁ ସୂର୍ଯ୍ୟ ଉଦୟର ସ୍ଥାନ ଧୀରେ ଧୀରେ ଉତ୍ତର ଦିଗରେ ଗତିକରି ୨୧ ଜୁନ ଦିନ ଉତ୍ତର ଦିଗର ସବୁଠାରୁ ଦୂରକୁ ଚାଲିଯାଏ । ସେଠାରେ ପୁଣି ଦକ୍ଷିଣକୁ ଫେରିବାକୁ ଲାଗେ । ୨୧ ସେପ୍ଟେମ୍ବର ଦିନ ବିଷୁବ ରେଖା ଉପର ଦେଇ ୨୧ ଡିସେମ୍ବର ଦିନ ଦକ୍ଷିଣର ଶେଷ ବିନ୍ଦୁ ମକରକ୍ରାନ୍ତିରେ ଆସି ପହଞ୍ଚିଥାଏ । ଏହାର ପର ଦିନ ଠାରୁ ସୂର୍ଯ୍ୟର ଉତ୍ତର ଦିଗକୁ ଗତି ଆରମ୍ଭ ହୁଏ । ଏହି ପ୍ରକ୍ରିୟା ସବୁଦିନ ଧରି ଚାଲି ରହିଛି ।
ଏପଟେ, ଜ୍ୟୋର୍ତିବିଜ୍ଞାନୀଙ୍କ କହିବା ଅନୁସାରେ ବର୍ଷର ୩୬୫ ଦିନ ମଧ୍ୟରୁ ଏଭଳି ଦୁଇ ଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରହିବ । ସେହି ସମୟରେ ଆମ ନିଜ ଛାଇ ଆଉ ଦେଖାଯିବ ନାହିଁ । ସୂର୍ଯ୍ୟ ମୁଣ୍ଡ ଉପରେ ଥିବା ସମୟରେ କର୍କଟ କ୍ରାନ୍ତି ଏବଂ ମକର କ୍ରାନ୍ତି ଅଞ୍ଚଳରେ ଛାଇ ପଡ଼ି ନଥାଏ ।
ତେବେ ଏହାକୁ ଦେଖିବା ପାଇଁ କୌଣସି ଯନ୍ତ୍ରପାତିର ଆବଶ୍ୟକ ନାହିଁ । ଏକ ସମତଳ ଜାଗାରେ ଖୁଣ୍ଟ, ଚାରିକୋଣିଆ ବାକ୍ସ, ବୋତଲ, ଇଟା, ଭଳି କିଛି ଜିନିଷ ଖରା ପଡୁଥିବା ସ୍ଥାନରେ ଲମ୍ବ ଭାବରେ ରଖନ୍ତୁ ଓ ନିର୍ଦ୍ଧାରିତ ତାରିଖ ଦିନ ମଧ୍ୟାହ୍ନର କିଛି ସମୟ ପୂର୍ବରୁ ଲକ୍ଷ କରନ୍ତୁ କିପରି ବସ୍ତୁଟିର ଛାୟା ଧୀରେ ଧୀରେ ଛୋଟ ହୋଇ ଉଭେଇଯାଉଛି ଓ ପୁଣି କିଛି ସମୟ ପରେ ଧୀରେ ଧୀରେ ଦେଖାଯାଉଛି ।