ଆଜି ପବିତ୍ର ଜନ୍ମାଷ୍ଟମୀ: ଶ୍ରୀମନ୍ଦିରକୁ ଅନ୍ଧକାର କରାଯାଇ ପାଳନ ହେବ ଗୁପ୍ତନୀତି

ପୁରୀ(କେନ୍ଯୁଜ୍): ଆଜି ପବିତ୍ର ଜନ୍ମାଷ୍ଟମୀ। ହିନ୍ଦୁ ପରମ୍ପରାରେ ଜନ୍ମାଷ୍ଟମୀର ଅନେକ ମହତ୍ତ୍ୱ ରହିଛି। ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଜନ୍ମ ନେଇଥିଲେ ଶ୍ରୀକୃଷ୍ଣ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ୱରୂପ ବାଳଗୋପାଳ ରୂପକୁ ପୂଜା ଆରାଧନା କରାଯାଇଥାଏ। ଅନେକ ଲୋକ ନିଷ୍ଠାର ସହ ଉପବାସ ରଖିଥାନ୍ତି। ସଂଧ୍ୟା ସମୟରେ ବିଶେଷ ପୂଜା ଆରମ୍ଭ କରି ମଧ୍ୟରାତ୍ର ପର୍ଯ୍ୟନ୍ତ ବିଧିପୂର୍ବକ ପୂଜାର୍ଚ୍ଚନା କରାଯାଇଥାଏ। ବାଳଗୋପାଳଙ୍କ ସ୍ୱରୂପକୁ ଝୁଲଣାରେ ବସାଇ ପୂଜା କରାଯାଇଥାଏ। ଭଗବାନ ଶ୍ରୀକୃଷ୍ଣ ମଧ୍ୟରାତ୍ରରେ ଜନ୍ମଗ୍ରହଣ କରିଥିବାରୁ ମଧ୍ୟରାତ୍ରରେ ବାଳଗୋପାଳଙ୍କ ମୂର୍ତ୍ତି ସ୍ଥାପନା ପରେ କ୍ଷୀର ଓ ଗଙ୍ଗାଜଳରେ ସ୍ନାନ କରାଯାଏ।

ନୂତନ ବସ୍ତ୍ର ପରିଧାନ କରାଯାଇଥାଏ। ଘରେ ଘରେ ଶ୍ରୀକୃଷ୍ଣ ଜନ୍ମକଥା ପାଠ ହୋଇଥାଏ। ମନ୍ଦିରରେ ଏହାକୁ ଭିନ୍ନ ଭାବେ ପାଳନ କରାଯାଇଥାଏ। ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ମଧ୍ୟ ପ୍ରଦର୍ଶିତ ହୋଇଥାଏ। ବିଶ୍ୱାସ ରହିଛି ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ଦ୍ୱାରା ସବୁ ଦୁଃଖ ନାଶ ହୋଇଥାଏ।ତେବେ କରୋନା କଟକଣା ଯୋଗୁଁ ଚଳିତ ବର୍ଷ ବିନା ଭକ୍ତରେ ଜନ୍ମ ନେବେ କୃଷ୍ଣ।

ସେହିପରି ଆଜି ଶ୍ରୀମନ୍ଦିରରେ ମଧ୍ଯ ପାଳିତ ହେବ ଜନ୍ମାଷ୍ଟମୀ। ସନ୍ଧ୍ୟାଧୂପ ପରେ କୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରକୁ ଅନ୍ଧକାର କରାଯାଇ ଜୟବିଜୟ ଦ୍ୱାର ବନ୍ଦ କରି ଏହି ଗୁପ୍ତନୀତି ପାଳନ ହେବ। ଭଣ୍ଡାର ଘର ନିକଟରେ ପଞ୍ଚବର୍ଣ୍ଣ ମୁରୁଜ ପକାଯାଇ ଦକ୍ଷିଣ ଘରୁ ମଗନମୋହନ ଆସିବା ପରେ ଏହି ନୀତି ଅନୁଷ୍ଠିତ ହେବ। ମହାଜନ ସେବାୟତମାନେ ଦେବକୀ ରୂପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି କରିବେ। ଏହାପରେ ପ୍ରତ୍ୟେକ ଦିନ ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମଠାରୁ କଂସବଧ ପର୍ଯ୍ୟନ୍ତ ସମସ୍ତ ନୀତି ପାଳିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.