ଆଜି କବି ନନ୍ଦକିଶୋର ବଳଙ୍କ ଜୟନ୍ତୀ , ପଚାଶ ବର୍ଷ ତଳେ କୁସୁପୁରରେ ଶୁଭ ଦିଆଯାଇଥିବା ପଲ୍ଲୀ କବି ଭବନ ଆଜିବି ଅଧାରେ

ମାହାଙ୍ଗା(କେନ୍ୟୁଜ୍) : ଓଡ଼ିଆ ସାହିତ୍ୟର ଧୂରୀଣ ସ୍ରଷ୍ଟା, ପଲ୍ଲୀ ଜୀବନର ଚିତ୍ରକୁ ନେଇ ରାଶି ରାଶି କାବ୍ୟ କବିତା ସୃଷ୍ଟି କରିଥିବା ନନ୍ଦକିଶୋର ବଳଙ୍କ ଜୟନ୍ତୀ ଆଜି ଅର୍ଥାତ୍ ଡିସେମ୍ବର ୨୨ ତାରିଖ । ଏହି ଜୟନ୍ତୀକୁ ପାଳନ କରିବା ପାଇଁ ଓଡିଶା ସାହିତ୍ୟ ଏକାଡେମୀ କବିଙ୍କ ଜନ୍ମପୀଠ କୁସୁପୁରକୁ ଆସିଛନ୍ତି । କିନ୍ତୁ ! ପଚାଶ ବର୍ଷ ତଳେ ତତ୍କାଳୀନ କୃଷିମନ୍ତ୍ରୀ ବିନାୟକ ଆଚାର‌୍ୟ୍ୟ ଶୁଭ ଦେଇଥିବା ପଲ୍ଲିକବି ଭବନ ଆଜିବି ଅର୍ଦ୍ଧ ନିର୍ମିତ। କବିଙ୍କ ଏନ୍ତୁଡ଼ିଶାଳ, ଶୈଶବ ଓ କୈଶୋର ଜୀବନର ସ୍ମୁତି ସ୍ମାରକୀ ତାଙ୍କ ପୈତୃକ ବାସଭବନ ଏବେବି ଅବହେଳିତ । ନାଁ ‘ନିଘା ଅଛି ପ୍ରଶାସନର, ନାଁ ‘ନିଦ ଭାଙ୍ଗୁଛି ନେତାମନ୍ତ୍ରୀ କି ‘ସାହିତ୍ୟ -ସଂସ୍କୃତି ପାଇଁ ନିଜକୁ ବଡ଼ପଣ୍ଡା ଭାବି ଛାତି ଫୁଲେଇ ଚାଲୁଥିବା ଧଳା ହାତୀ ମାନଙ୍କର ।

ପଲ୍ଲୀବଧୂ, ଗାଁ ଦାଣ୍ଡ, ନଈକୂଳ, ଗ୍ରାମ୍ୟ ଜୀବନର ନିଚ୍ଛକ ଚିତ୍ର, ଆମ ସାମାଜିକ ଚଳଣି, ପୂଜା ପାର୍ବଣ, ହସ କାନ୍ଦ, ପିଲାଦିନ, ଧୂଳିଘର, ଶସ୍ୟ ଶ୍ୟାମଳରେ ଘେରା ପ୍ରକୃତିର ରୁପବିଭା ଓ ତେଲଲୁଣ ଜୀବନର ସରଳ ତରଳ ଚିତ୍ରରେ ପୁରି ଉଠୁଥିବା ତାଙ୍କ ସାହିତ୍ୟର ମୂଲ୍ୟାୟନ ପ୍ରତି ସତରେ କଣ ରହିଛି ଏମାନଙ୍କର ଆନ୍ତରିକତା?

କବିଙ୍କ ନାମରେ ଗ୍ରାମରେ ସ୍ଥାପିତ ହୋଇଛି ନନ୍ଦକିଶୋର ବିଦ୍ୟା ମନ୍ଦିର । ଜୟନ୍ତୀ ପାଳନ ପାଇଁ ପିଲାମାନଙ୍କ ଭିତରେ ରହିଛି ଆଗ୍ରହ । କିନ୍ତୁ କବିଙ୍କ ସ୍ମୁତି ରକ୍ଷା ଦିଗରେ ସରକାର ସମ୍ପୂର୍ଣ ବିଫଳ । ଅଧାଗଢ଼ା ପଲ୍ଲିକବି ଭବନ ପଲ୍ଲୀ ଜୀବନପ୍ରତି ଉପହାସର ସ୍ମାରକୀ ସାଜିଛି । ପୂଜ୍ୟ-ପୂଜା ପ୍ରତି ଆମେ କେତେ ଉଦାସୀନ ସେକଥା ଜଳଜଳ ଦିଶୁଛି । ଓଡ଼ିଆ ସାହିତ୍ୟର ଏହି ଯଶସ୍ବୀ ସାଧକ ତାଙ୍କ ଜୀବନ ବ୍ୟାପୀ ଲେଖନୀ ଚାଳନକରି ଓଡ଼ିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିଛନ୍ତି ସତ, କିନ୍ତୁ ! ତାଙ୍କ ଜନ୍ମମାଟି କୁସୁପୁର ଗଲେ ଦୁଃଖ ଲାଗିବ ଯେ ‘ଏତେ ମହାନ ଲେଖକଙ୍କ ପ୍ରତି ଆମେ କେତେ ଅନ୍ୟାୟ କରିଛୁ ସତରେ !!

 

 

 

 

ମାହାଙ୍ଗାରୁ ଅର୍ଜୁନି ସାହୁଙ୍କ ରିପୋର୍ଟ