ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ, ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି କରାଯିବ

ପୁରୀ(କେନ୍ୟୁଜ୍): ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ। ଆଜି ପୁରୀରେ ଖଳି ଲାଗି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି କରାଯିବ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇ ଅନବସରରେ ଥିବା ମହାପ୍ରଭୁଙ୍କର ଏହି ଗୁପ୍ତନୀତି ସଂପନ୍ନ କରାଯିବ । ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଖଳି ସହିତ ରକ୍ତ ବସ୍ତ୍ର ଲାଗି କରିବେ । ଏହାପୂର୍ବରୁ ଗତକାଲି ମହାପ୍ରଭୁଙ୍କ ଚକାବିଜେ ନୀତି ସଂପନ୍ନ ହୋଇଛି । ଏବେ ମହାପ୍ରଭୁ ସୁସ୍ଥ ହେଉଥିବାରୁ ଆସନ୍ତାକାଲି ଦଇତାପତିମାନେ ଏ ସଂପର୍କରେ ଗଜପତି ମହାରାଜଙ୍କୁ ଜଣାଇବେ । ମହାପ୍ରଭୁଙ୍କ ଶ୍ରୀଅଙ୍ଗର ରାଜପ୍ରସାଦ ନେଇ ଗଜପତିଙ୍କୁ ଭେଟିଦେବେ । ସ୍ନାନପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂର୍ତ୍ତି ଏବେ ଅନବସରରେ ଅଛନ୍ତି ।

colorଏପଟେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ୪ ଦିନ ବାକି । ରଥଖଳାରେ ଏବେ ଜୋରସୋର ଚାଲିଛି ତିନି ରଥର ନିର୍ମାଣ କାମ । ତିନି ରଥର ଚନ୍ଦ୍ରଶାଳି ନିର୍ମାଣ କାମ ସରିଛି । ନାଟଗୋଡ଼ କାମ ବି ସରିଆସିଲାଣି । ପୋଟଳ କାମ ସରିଥିବା ବେଳେ ତାଗବାଡ଼ିଆ କାମ ଆଗେଇ ଚାଲିଛି । ତିନି ରଥର କନକମୁଣ୍ଡି କାମ ବି ଶେଷ ହୋଇଛି । ତିନି ରଥର କାମ ଶେଷ କରିବାକୁ ବିଶ୍ୱକର୍ମା ମହାରଣାମାନେ ଲାଗିପଡ଼ିଛନ୍ତି । ସେହିପରି ଚିତ୍ରକର ଓ ରୂପକାର ସେବାୟତଙ୍କୁ ମଧ୍ୟ ଫୁରସତ ନାହିଁ ।