ଆଜି ମାଟିରେ ମିଶିବ ବୈକୁଣ୍ଠ ଧାମ ଆଶ୍ରମ, ଦିନ ୧୨ଟା ସୁଦ୍ଧା ଆଶ୍ରମ ଖାଲି କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ବୁଲିବ ବୁଲଡୋଜର । ମାଟିରେ ମିଶିବ ବୈକୁଣ୍ଠ ଧାମ ଆଶ୍ରମ । ବହୁ ବାଦ ବିବାଦ ପରେ ବାବା କାଶୀନାଥଙ୍କ ଆଶ୍ରମକୁ ଭାଙ୍ଗିବାକୁ ଯୋଜନା କରିଛି ବିଡିଏ । ଦିନ ୧୨ଟା ସୁଦ୍ଧା ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମ ଖାଲି କରିବାକୁ ବିଡିଏ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଛି । ପୂର୍ବରୁ ବୈକୁଣ୍ଠଧାମ ଆଶ୍ରମ ଉପରେ ଜାରି ପାଇଁ ଅନ୍ତରୀଣ ସୁରକ୍ଷା ଆଦେଶକୁ ଉଠାଇଦେଇଥିଲେ ହାଇକୋର୍ଟ । ଏହି ବିବାଦୀୟ ଆଶ୍ରମ ସରକାରୀ ଜାଗାରେ ଗଢ଼ି ଉଠିଥିବା ଅଭିଯୋଗ ହୋଇଥିଲା । ଏବେ ବୈକୁଣ୍ଠ ଧାମ ପରିସର ଶୂନଶାନ । ଆଶ୍ରମ ଫାଟକରେ ଭିତରୁ ପଡିଛି ତାଲା । ପୂରା ଆଶ୍ରମ ଏବେ ସିସିଟିଭି ନଜରରେ ରହିଛି ।
ବୈକୁଣ୍ଠ ଧାମ ଆଶ୍ରମରେ ବାଳକଙ୍କୁ କଳକୀ ଅବତାର ବୋଲି ଘୋଷଣା କରି ତାଙ୍କ ପାଦରେ ତୁଳସୀ ଓ ଭଗବତ ଗୀତା ରଖି ପୂଜାର୍ଚ୍ଚନା କରାଯାଉଥିଲା । ସେ ଲୋକଙ୍କୁ ଭବିଷ୍ୟବାଣୀ କରୁଥିଲେ । ଏହାକୁ ନେଇ ଚର୍ଚ୍ଚାକୁ ଆସିଥିଲା ବୈକୁଣ୍ଠଧାନ ଆଶ୍ରମ । ଏବେ ଫେରାର ଅଛନ୍ତି ଆତ୍ମଘୋଷିତ ବାବା କାଶୀନାଥ । ଆଶ୍ରମରେ ଥିବା ଦାମୀ ବାଇକ ଆଶ୍ରମ ପରିସରରେ ନାହିଁ । କିଏ ନେଲା ବାଇକ ? ଏଭଳି ଅନେକ ପ୍ରଶ୍ନ ପ୍ରଶ୍ନରେ ରହି ଯାଇଛି । ପୂର୍ବରୁ ଜିଏ ,ବିଡିଏ ଓ ତହସିଲର ଅଧିକାରୀ ଆଶ୍ରମର ମାପଚୁପ କରିଥିଲେ ।