ବଢିଲା କାଳିଆ ଯୋଜନାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପ୍ରକ୍ରିୟାର ସମୟସୀମା, ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଯାଞ୍ଚ ପ୍ରକ୍ରିୟା
ଭୁବନେଶ୍ବର (କେନ୍ୟୁଜ୍) : ବଢିଲା କାଳିଆ ଯୋଜନାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପ୍ରକ୍ରିୟାର ସମୟସୀମା । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିବ । ଏନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ଅଗଷ୍ଟ ୬ ତାରିଖରୁ ଆରମ୍ଭ ହୋଇଥିବା ଯାଞ୍ଚ ପ୍ରକ୍ରିୟା ଆଜି ଶେଷ ହେବାର ଥିଲା। ବର୍ତ୍ତମାନ ସୁଦ୍ଧା ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ ଲକ୍ଷ ଯାଞ୍ଚ ଶେଷ ହୋଇଛି । ଯେଉଁମାନେ ଯୋଗ୍ୟ ନୁହନ୍ତି, ସେମାନେ ଅଯୋଗ୍ୟ ହିତାଧିକାରୀ ଭାବେ ଆବେଦନ କରି କାଳିଆ ଟଙ୍କା ଫେରାଇପାରିବେ । ଏଥି ପାଇଁ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଦିଆଯାଇଛି । ଏହା ସହ ଅଯୋଗ୍ୟ ହିତାଧିକାରୀଙ୍କ ବାବଦରେ ଯେ କୌଣସି ବ୍ୟକ୍ତି ତଥ୍ୟ ଦେଇପାରିବେ । ଏହାକୁ ଯାଞ୍ଚ କରି ସରକାର ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବେ । ଯାଞ୍ଚ ପାଇଁ ପଞ୍ଚାୟତ ସ୍ତରଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲାସ୍ତରରେ କମିଟି ଗଠନ କରିଛନ୍ତି ସରକାର।