ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ

କେନ୍ଯୁଜ୍: ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ। ନାଗରିକ କ୍ରିୟାନୁଷ୍ଠାନ କମିଟି ଓ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ୍‌ ଡାକରା ଦିଆଯାଇଛି। ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର, ବୌଦ୍ଧ ଓ ଦେବଗଡ଼ରେ ବନ୍ଦର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି। ସବୁ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ ଅଫିସ ଏବଂ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିବ। ବସ୍‌, ଟ୍ରକ ଓ ଅଟୋ ମାଲିକ ସଂଘ ବନ୍ଦକୁ ସମର୍ଥନ ଜଣାଇଛନ୍ତି। ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ, ବହୁ ଦିନ ହେଲା ଆନ୍ଦୋଳନ ଚଳାଇ ଆସୁଛନ୍ତି ଓକିଲ ସଂଘ। ବାଧାପ୍ରାପ୍ତ ହେଉଛି କୋର୍ଟ କାର୍ଯ୍ୟ। ଏହାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ତଥାପି ଅନେକ ଓକିଲ ସଂଘ ଆନ୍ଦୋଳନରୁ ପଛଘୁଞ୍ଚା ଦେଉ ନାହାନ୍ତି।

ସମ୍ବଲପୁରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସକାଳୁ ସକାଳୁ କର୍ମୀମାନେ ପିକେଟିଂ କରି ରାସ୍ତାରୋକ କରିଛନ୍ତି। ଗାଡି ମୋଟର ଚଳାଚଳ ବନ୍ଦ ରହିବା ସହ ଟ୍ରେନକୁ ମଧ୍ୟ ଅଟକାଇଛନ୍ତି। କ୍ଷେତରାଜପୁର ଷ୍ଟେସନରେ ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ମଧ୍ୟ ଅଟକାଯାଇଛି। ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ସମର୍ଥନ କରିଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବଲପୁର ରିପୋର୍ଟର ଗୁଣମଣି ବିଶ୍ୱାଳ। ପଶ୍ଚିମ ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ ଜଣାଇବା ସହ ବୌଦ୍ଧ ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତରେ ସାମିଲ କରିବା ଦାବିରେ ବୌଦ୍ଧ ଜିଲ୍ଲା ଓକିଲ ସଂଘ ଓ ସିଭିଲ ଆଣ୍ଡ କ୍ରିମିନାଲ ବାର୍‌ ଆସୋସିଏସନ୍‌ ତରଫରୁ ବୌଦ୍ଧ ଜିଲ୍ଲାରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ପଶ୍ଚିମ ଓଡ଼ିଶାର ସାମୂହିକ ସ୍ୱାର୍ଥ ତଥା ବୌଦ୍ଧ ଜିଲ୍ଲାର ବିକାଶ ପାଇଁ ସମସ୍ତ ଜନସାଧାରଣ ସାମିଲ ହୋଇ ବନ୍ଦକୁ ସଫଳ କରିବା ପାଇଁ ଆହ୍ଵାନ ଦେଇଛି ବୌଦ୍ଧ ଜିଲ୍ଲା ଓକିଲ ସଂଘ। ଅତ୍ୟାବଶ୍ୟକୀୟ ସେବାକୁ ବାଦ ଦେଇ ଦୋକାନ ବଜାର, ଯାନବାହାନ ଚଳାଚଳ ବନ୍ଦ ଥିବା ଦେଖିବାକୁ ମିଳିଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.