ଭୁବନେଶ୍ବର(କେନ୍ଯୁଜ୍): ଧରାବତରଣ କରିଛନ୍ତି ମାଆ ଦୁର୍ଗା। ଆଜି ମଣ୍ଡପରେ ଜଗତଜନନୀ ମାଆ ଦୁର୍ଗାଙ୍କ ଅଷ୍ଟମୀ ପୂଜା। ବିଲ୍ଵବରଣ ପରେ ମାଆଙ୍କ ଚକ୍ଷୁଦାନ କରାଯାଇଛି। ଏପଟେ ପୀଠରେ ମାଆଙ୍କ ମହାନବମୀ ପୂଜା ଚାଲିଛି। ବେଦମନ୍ତ୍ର ପାଠରେ କମ୍ପୁଛି ପରିବେଶ। ହେଲେ କରୋନା କଟକଣା ପାଇଁ ଭକ୍ତମାନେ ମଣ୍ଡପକୁ ଯାଇ ଦର୍ଶନ କରିପାରୁନାହାଁନ୍ତି। ଆଜି ମହାଷ୍ଟମୀରେ ଭକ୍ତମାନେ ଉପବାସ ରଖି ମାଆଙ୍କ ଆରାଧନା କରୁଛନ୍ତି। ବାହାରୁ ରହି ମାଆଙ୍କ ଆଶିଷ ଲାଭ କରୁଛନ୍ତି।
ସୂଚନା ଥାଉକି, ଗତକାଲି ପୀଠରେ ମାଆଙ୍କ ମହାଷ୍ଟମୀ ଓ ମଣ୍ଡପରେ ସପ୍ତମୀ ପୂଜା ସମାପନ ହୋଇଥିଲା। ବିଳମ୍ବିତ ରାତ୍ରରେ ମାଆଙ୍କ ଚକ୍ଷୁଦାନ କରାଯାଇଥିଲା। କରୋନା କଟକଣା ଭିତରେ ଚାଲିଥିଲା ପୂଜାର୍ଚ୍ଚନା। ପୀଠାରେ ମାଆଙ୍କର ନବରାତ୍ର ପୂଜା ସହ ଚାଲିଛି ଷୋଡଶ ପୂଜା।
ଅନ୍ଯପଟେ ପାର୍ବଣରେ ଭିଡ଼ ରୋକିବା ପାଇଁ ଟ୍ବିନ୍ ସିଟିରେ କଡ଼ା ସୁରକ୍ଷା । ପୂଜାକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ଗତ ଦୁଇ ଦିନ ହେବ କଟକ, ଭୁବନେଶ୍ୱରରେ ରାତି ଆଠଟାରୁ ଲାଗୁ ହେଇଛି ନାଇଟ କର୍ଫ୍ୟୁ । ରାତି ୮ଟାରୁ ସକାଳ ୫ଟା ଯାଏ ଜାରି ରହିବ ନାଇଟ କର୍ଫ୍ୟୁ। କଟକରେ ମୁତୟନ ହେଇଛନ୍ତି ୩୨ ପ୍ଲାଟୁନ ଫୋର୍ସ ।
୨୦ ଚେକ୍ ପୋଷ୍ଟ ସହ ଶହେ ପୋଲିସ ଅଧିକାରୀ ଓ ୧୫୦ରୁ ଅଧିକ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି। ମଦୁଆଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍କାର୍ଡ ପ୍ରସ୍ତୁତ କରାଯାଇଛି। ପୂଜାରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ପ୍ରତି କଠୋର ପଦକ୍ଷେପ ନିଆଯିବ ବୋଲି ପୋଲିସ କମିଶନର ଚେତାବନୀ ଦେଇଛନ୍ତି। ପୂଜା ଆରମ୍ଭ ପୂର୍ବରୁ ୪୧ଜଣ ଗିରଫ ହୋଇଥିଲେ। ଆଉ ୨୦୩ ଜଣଙ୍କୁ ଧରିବା ପାଇଁ ତାଲିକା ପ୍ରସ୍ତୁତ ହୋଇଛି।ନାଇଟ୍ କର୍ଫ୍ୟୁକୁ କ଼ଡାକଡି ପାଳନ କରିବା ପାଇଁ ରାତିରେ ସ୍ପେଶାଲ୍ ସ୍କ୍ଵାର୍ଡ ନିୟୋଜିତ କରାଯିବା ସହ ସାଦା ପୋଷାକ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। କୋଭିଡ କଟକଣାରେ ଚଳିତବର୍ଷ ଦୁର୍ଗାପୂଜା ପାଳନ କରାଯାଉଛି।
ତେବେ ଗତ ଥର ପରି ଏଥରର ବି କରୋନା କଟକଣା ଯୋଗୁଁ ଲୋକଙ୍କ ମଧ୍ୟରେ ସେଭଳି ଉତ୍ସାହ ଦେଖିବାକୁ ମିଳିନି। ଏହାବାଦ ପୂଜା ସମୟରେ ସଂକ୍ରମଣ ଉପର ମୁହାଁ ହେବା ଆଶଙ୍କା କରି ଦୈତ୍ୟ ନଗରୀ କଟକ ଓ ଭୁବନେଶ୍ୱରରେ ଗତକାଲିଠୁ କଡ଼ାକଡ଼ି ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି।