ଆଜି ନଭେମ୍ବର ୭: ଜାତୀୟ କ୍ୟାନସର ସଚେତନତା ଦିବସ, ବରଗଡରେ ଚାଲିଛି ସଚେତନତା କାର୍ଯ୍ୟକ୍ରମ

ବରଗଡ(କେନ୍ଯୁଜ୍): ଆଜି ନଭେମ୍ବର ୭। ଜାତୀୟ କ୍ୟାନସର ସଚେତନତା ଦିବସ । ବରଗଡଠାରେ କ୍ୟାନସର ରୋଗକୁ ରୋକ୍‌ ଲଗାଇବା ପାଇଁ ଚାଲିଛି ସଚେତନତା କାର୍ଯ୍ୟକ୍ରମ । ବରଗଡ ଜିଲ୍ଲାର ଖେଦାପାଲି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ନିକଟରେ ପୂର୍ଣ୍ଣାଙ୍ଗ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ୯୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା ହୋଇଛି।

ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କଠୁ ଆରମ୍ଭ କରି ସ୍ୱେଚ୍ଛାସେବୀ ସଂଗଠନ,ସଚେତନ ନାଗରିକ ଏବଂ ବୁଦ୍ଧିଜୀବୀ ରାଲିରେ ବାହାରି ଲୋକଙ୍କୁ କରୁଛନ୍ତି ସଚେତନ । ମହିଳା ମହାବିଦ୍ୟାଳୟଠାରେ ଚାଲିଥିଲା ସଭା । ଲୋକଙ୍କୁ ସଚେତନତାର ବାର୍ତ୍ତା ଦିଆଯାଇଥିଲା। ବରଗଡ ଜିଲ୍ଲାରେ କିଭଳି କ୍ୟାନସର ରୋଗୀଙ୍କ ସଂଖ୍ୟା କମିବ ତାକୁ ନେଇ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଇଥିଲା। ବିଭିନ୍ନ ଛାତ୍ରଛାତ୍ରୀ ହାତରେ ପ୍ଲାଗ୍‌ କାର୍ଡ ଧରି ସଚେତନ କରିଛନ୍ତି।

ବରଗଡ ଜିଲ୍ଲାରେ ବିପୁଳ ମାତ୍ରାରେ ସାର,କୀଟନାଶକ ବ୍ୟବହାର,ଗୁଟ୍‌କାର ବ୍ୟବହାର ଯୋଗୁ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢୁଥିବା ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ଚାଷ ଓ ଚାଷୀଙ୍କ ଜିଲ୍ଲା ସହ ରାଜ୍ୟର ଭାତହାଣ୍ଡି ଭାବେ ପରିଚିତ ବରଗଡ ଜିଲ୍ଲା। ହେଲେ ଜିଲ୍ଲାରେ ଘାରିଛି କ୍ୟାନସର ରୋଗର ଚିନ୍ତା । ଓଡିଶାର କ୍ୟାନସର ରୋଗୀଙ୍କ ମଧ୍ୟରୁ ବାର୍ଷିକ ୬୦ ପ୍ରତିଶତ ଲୋକ ଏହି ବରଗଡ ଜିଲ୍ଲାର। ବରଗଡ଼ ଖେଦାପାଲିରେ ଖୁବ୍‌ଶୀଘ୍ର ପୂର୍ଣ୍ଣାଙ୍ଗ କ୍ୟାନସର ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.