ଆଜି ମୁଖ୍ୟମନ୍ତ୍ରୀଙ୍କ ବୌଦ୍ଧ ଓ ଭଞ୍ଜନଗର ଗସ୍ତ , ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶୁଭ ଉଦଘାଟନ ସହ କରିବେ ଶିଳାନ୍ୟାସ

ବୌଦ୍ଧ(କେନ୍ୟୁଜ୍) : ଆଜି ବୌଦ୍ଧ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶୁଭ ଉଦଘାଟନ କରିବା ସହ ବହୁ ପ୍ରତୀକ୍ଷିତ ବୌଦ୍ଧ-ମର୍ଜାକୁଦ ମହାନଦୀ ସେତୁର ଶିଳାନ୍ୟାସ କରିବେ । ବୌଦ୍ଧ ଏବଂ କଣ୍ଟାମାଳରେ ମୁଖ୍ୟମନ୍ତ୍ରୀ ପ୍ରାୟ ୪୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ । ଏହାପରେ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟୟରେ ପହଞ୍ଚିଛି । ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ସେହିପରି ଗଞ୍ଜାମର ଭଞ୍ଜନଗର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ପଡ଼ିଆ ଠାରେ ପ୍ରାୟ ୧୦୬ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। ଭଞ୍ଜନଗରର ବହୁ ପ୍ରତୀକ୍ଷିତ ନୂଆ ବସଷ୍ଟାଣ୍ଡ, ଟାଉନ ହଲ ଏବଂ ସ୍ୱତନ୍ତ୍ର କାରାଗାରର ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖାଦେଇଛି। ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।