ଆଜି ଖୋଲିବ ପଞ୍ଚାୟତ ଭୋଟ୍ ପେଡ଼ି: ବାକ୍ସ ଭିତରେ ସିଲ୍ ହୋଇଛି ୧ ଲକ୍ଷ ୬ହଜାର ୩୫୩ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ବର(କେନ୍ଯୁଜ୍):ଆଜି ଖୋଲିବ ପଞ୍ଚାୟତ ଭୋଟ୍ ପେଡ଼ି । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ଭୋଟ୍ ବାକ୍ସରେ ସିଲ୍ ହୋଇଛି ୧ ଲକ୍ଷ ୬ହଜାର ୩୫୩ ପ୍ରାର୍ଥୀଙ୍କ ଭାଗ୍ୟ । ଆଜିଠୁ ୩ ଦିନ ଧରି ଚାଲିବ କାଉଣ୍ଟିଂ । ଆଜି ୩୧୫ ଜିଲ୍ଲା ପରିଷଦ ଆସନ, ୨୭ ତାରିଖ ଦିନ ୩୦୭ ଓ ୨୮ରେ ବାକି ୨୨୯ଟି ଜିଲ୍ଲା ପରିଷଦ ଆସନରେ ଭୋଟ୍ ଗଣତି କରାଯିବ ।
ଜିଲ୍ଲା ପରିଷଦ ଜୋନ୍ ଅଧୀନରେ ଯେତିକି ଜୋନ୍ ରହିଛି ସେହି ଅନୁସାରେ କାଉଣ୍ଟିଂ ଟେବୁଲ ରହିଛି । ପ୍ରତ୍ୟେକ କାଉଣ୍ଟିଂ ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଦୁଇ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି । ନିର୍ବାଚନ ଅଧିକାରୀଙ୍କର ଅଲଗା ଟେବୁଲ ରହିଛି । ବାଲଟ୍ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯିବ । ତା ପରେ ୫୦ ଟିକିଆ ବଣ୍ଡଲ କରି ଦିଆଯିବ । ପ୍ରଥମେ ଓ୍ଵାର୍ଡ଼ ମେମ୍ବର, ପରେ ସରପଞ୍ଚ ଓ ତାପରେ ସମିତି ସଭ୍ୟଙ୍କର ଭୋଟ୍ ଗଣତି ହେବ । ସବା ଶେଷରେ ଗଣତି ହେବ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର।