ଆଜି ଶ୍ରୀମନ୍ଦିରରେ ସୁନିଆଁ: ମଧ୍ୟାହ୍ନ ଧୂପ ସରିଲେ ଆରମ୍ଭ ହେବ ବାମନ ଜନ୍ମ ନୀତି, ଅପରାହ୍ନ ୫ଟାରୁ ରାତି ୯ଟା ଯାଏ ସର୍ବ ସାଧାରଣ ଦର୍ଶନ

ପୁରୀ(କେନ୍ୟୁଜ୍): ଆଜି ଶ୍ରୀମନ୍ଦିରରେ ସୁନିଆଁ । ଅନୁଷ୍ଠିତ ହେବ ବାମନ ଜନ୍ମ ନୀତି । ମହାପ୍ରଭୁଙ୍କ ସକାଳ ଧୂପ ପରେ ମହାସ୍ନାନ ଓ ସର୍ବାଙ୍ଗ ନୀତି ବଢିବ । ଅଧିବାସ ହୋଇଥିବା ପବିତ୍ରା ଲାଗି କରାଯାଇ ଠାକୁରଙ୍କୁ ଛଅମୂର୍ତ୍ତି ତଢାଉ ଲାଗି କରାଯିବ । ମଧ୍ୟାହ୍ନ ଧୂପ ସରିଲେ ବାମନ ଜନ୍ମ ନୀତି ଆରମ୍ଭ ହେବ । ଭାଦ୍ର-ଶୁଳ୍କ ଦ୍ୱାଦଶୀ ତିଥିରେ ବାମନ ଜନ୍ମ ନୀତି କରାଯିବ । ନୀତି ପାଇଁ ଅପରାହ୍ଣ ୫ଟାରୁ ରାତି ୯ଟା ଯାଏ ୪ ଘଣ୍ଟା ବନ୍ଦ ରହିବ ସର୍ବ ସାଧାରଣ ଦର୍ଶନ ।

ଅନ୍ୟପଟେ ଆଜିଠାରୁ ଗଜପତି ମହାରାଜଙ୍କର ୬୫ ଅଙ୍କ ଆରମ୍ଭ ହେବ । ସୁନିଆଁ ଅବସରରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯିବ । କନକଦୂର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ ଓ ନୃସିଂହଙ୍କୁ ପୁଜାର୍ଚ୍ଚନା କରିବେ ଗଜପତି । ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନଅରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହେବ। ଗଜପତିଙ୍କ ଉପସ୍ଥିତିରେ ଶ୍ରୀନଅରରେ ଅଙ୍କ କଟା ନୀତି ସମ୍ପାଦନ କରାଯିବ । ଏ ଅବସରରେ ଶ୍ରୀନଅର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୂଦ୍ରା ପ୍ରଚଳନ କରାଯିବ । ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବାଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହର କରଣ ପ୍ରଚଳନ କରାଇବା ସହ ଗଜପତି ଏହାକୁ ଘୋଷଣା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.