ଆଜି ପବିତ୍ର ଶ୍ରୀରାମ ନବମୀ, ରାଜ୍ୟର ବିଭିନ୍ନ ମନ୍ଦିରରେ ଚାଲିଛି ରାମ ଚରିତ ମାନସ ପାଠ

ଭୁବନେଶ୍ୱର/ ନୟାଗଡ  : ଆଜି ପବିତ୍ର ଶ୍ରୀରାମ ନବମୀ ।  ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହେଉଛି ମନ୍ଦିର । ଚାଲିଛି ଶ୍ରୀରାମ ଚରିତ ମାନସ ପାଠ। ଦର୍ଶନ ପାଇଁ ଶହ ଶହ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମୁଛି । ରାମନବମୀ ପାଇଁ ନବବଧୂ ବେଶରେ ସଜେଇ ହୋଇଛି ଭୁବନେଶ୍ବର ୟୁନିଟ୍-୩ ସ୍ଥିତ ରାମମନ୍ଦିର ।  ମନ୍ଦିର ପରିସରରେ ସୁନ୍ଦର ଆଲୋକ, ପୁଷ୍ପମାଳା ସହିତ ଆକର୍ଷଣୀୟ ତୋରଣ ବନ୍ଧା ହୋଇଛି ।  ସେହିପରି ଟାଣ ଖରାକୁ ଦୃଷ୍ଟିରେ ରଖି ଛାମୁଣ୍ଡିଆ ବନ୍ଧା ହେବା ସହିତ ଭକ୍ତଙ୍କ ପାଇଁ ପାନୀୟ ଜଳ ଓ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଛି । ଉତ୍ସବକୁ ଧୁମଧାମରେ ପାଳନ କରିବା ସହିତ ଭକ୍ତଙ୍କ ସୁବିଧା ଓ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମନ୍ଦିର ଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୧୯ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।

ସେହିପରି ଦ୍ୱିତୀୟ ଅଯୋଧ୍ୟା କୁହାଯାଉଥିବା ନୟାଗଡ ଜ଼ିଲ୍ଲା ଫତେଗଡ଼ ରାମ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ।  ଭୋର ସାଢେ ୪ଟାରେ ପ୍ରଭୁଙ୍କ ପହଡ ଖୋଲିଥିଲା । ଅବକାଶ, ଦୁଆର ଫିଟା ନୀତି, ମଙ୍ଗଳ ଆଳତି ସାରି ସର୍ବସାଧାରଣ ଦର୍ଶନ ଚାଲିଛି । ଆଇନ ଶୃଙ୍ଖଳା ପାଇଁ ୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଅଗ୍ନିଶମ ବିଭାଗ, ମେଡିକାଲ ଟିମ ପ୍ରସ୍ତୁତ ଅଛନ୍ତି ।  ଖରାକୁ ଦୃଷ୍ଟିରେ ରଖି ଜଳଛତ୍ର ଖୋଲା ଯାଇଛି । ପାହାଡ଼ ତଳେ ପୋଲିସ ପକ୍ଷରୁ ଗାଡି ପର୍କିଙ୍ଗ ବ୍ୟବସ୍ଥା କରାଯାଇଛି । ପାହାଡ଼ ତଳରୁ ଶ୍ରଦ୍ଧାଳୁ ଧାଡିରେ ଚାଲି ଚାଲି ଆସି ଆସି ପ୍ରଭୁ ରାମଲାଲାଙ୍କୁ ଦର୍ଶନ କରୁଛନ୍ତି ।

ଅନ୍ୟପଟେ ରାମନବମୀ ଉପଲକ୍ଷେ ନବଦିନବ୍ୟାପୀ ଭଜନକୀର୍ତ୍ତନ, ଅଖଣ୍ଡପାଠ ଆଦି ଚାଲେ । ଶ୍ରୀରାମଙ୍କ ଜନ୍ମଭୂମି ଅଯୋଦ୍ଧା ସମେତ ସାରା ଦେଶରେ ବଡ଼ ଧୁମ୍‌ଧାମ୍‌ ଜାକଜମକରେ ପାଳିତ ହୋଇଥାଏ ରାମନବମୀ । ଶ୍ରୀମନ୍ଦିରରେ ଶ୍ରୀରାମଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ବ୍ରତଧାରୀମାନେ ଏହିଦିନ ଉପବାସ କରନ୍ତି । ସୂର୍ଯ୍ୟାସ୍ତ ପରେ ବ୍ରତ ସମାପନ କରିଥାଆନ୍ତି । ଏହି ଦିନ ପ୍ରାସାଦ ରୂପେ ଭଗବାନଙ୍କ ନିକଟରେ ପଞ୍ଚାମୃତ, ଶ୍ରୀଖଣ୍ଡ, ଖିରୀ ଓ ହାଲୁଆ ଭୋଗ ଅର୍ପଣ କରାଯାଇଥାଏ ।

 

 

ଆହୁରି ପଢ଼ନ୍ତୁ : ଗଡ଼ିଲା ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ, ରଥ ଟାଣୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ