ବାତ୍ୟା ପ୍ରଭାବରେ ଆଜି ଭିଜିବ ଅଧା ଓଡ଼ିଶା, ୯ ଜିଲ୍ଲାକୁ ରେଡ଼ ଓ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଭୀଷଣ ରୂପ ଧରି ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନା । ଏହାର ପ୍ରଭାବରେ ଆଜି ଭିଜିବ ଅଧା ଓଡ଼ିଶା  । ୯ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଓ ୬ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ଭୀଷଣ ବର୍ଷା ପାଇଁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା କୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି  । ସେହିପରି ନୟାଗଡ଼, ବୌଦ୍ଧ, ସୋନପୁର, ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, ଗଞ୍ଜାମ, କନ୍ଧମାଳକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଅନ୍ୟପଟେ ଆଜି ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ଯାଜପୁର, ବାଲେଶ୍ବର ଓ ମୟୁରଭଞ୍ଜ ଜିଲ୍ଳାରେ ଅତିରୁ ଅତି ପ୍ରବଳ ବର୍ଷା ଅର୍ଥାତ ୨୦ରୁ ୩୦ ସେଣ୍ଟିମିଟର ବର୍ଷା ହୋଇପାରେ ।  ଏହି ସମୟରେ ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦୁଝର, ନୟାଗଡ଼ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ଗଞ୍ଜାମ, ବୌଦ୍ଧ, ଅନୁଗୁଳ, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି । ପରବର୍ତ୍ତୀ ୨୪ ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାଜ୍ୟରେ ବର୍ଷାର ପ୍ରଭାବ ପଡ଼ିବ । ଯାଜପୁର, ଭଦ୍ରକ, ପୁରୀ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଅନୁଗୁଳର କେତେକ ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ଆଶଙ୍କା ରହିଛି।