ଅଶୋକାଷ୍ଟମୀ ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର: ଦିନ ୩ଟାରେ ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର : ଆଜି ପବିତ୍ର ଅଶୋକାଷ୍ଟମୀ ।  ରୁକୁଣା ରଥଯାତ୍ରା ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ସମଗ୍ର ଭୁବନେଶ୍ବରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ମାହୋଲ । ରଥଦାଣ୍ଡରେ ଗଡ଼ିବ ରୁକୁଣା ରଥ । ଦିନ ୩ଟାରେ ଆରମ୍ଭ ହେବ ରଥଟଣା । ରଥରେ ଚଢ଼ି ମାଉସୀ ମାଆ ଘରକୁ ଯିବେ ପ୍ରଭୁ ଲିଙ୍ଗରାଜ । ଶ୍ରୀଲିଙ୍ଗରାଜଙ୍କ ପ୍ରତିନିଧି ଭାବେ ତିନି ଠାକୁର ଚନ୍ଦ୍ରଶେଖର, ଚତୁର୍ଭୁଜା ମାଆ ଦୁର୍ଗା ଓ ଦୋଳଗୋବିନ୍ଦ ରଥାରୁଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ଅପେକ୍ଷା କରିରହିଛନ୍ତି ଶହ ଶହ ଶ୍ରଦ୍ଧାଳୁ ।

ଗତକାଲି ମଧ୍ୟରାତ୍ରରେ ମହାଖଳାଠାରେ ରଥ ପ୍ରତିଷ୍ଠା କରାଯାଇଥିଲା  । କେଦାରଗୌରୀ ନିକଟ ତଥା ମୁକ୍ତେଶ୍ବର ମନ୍ଦିର ପରିସରରେ ଥିବା ମରିଚିକୁଣ୍ଡରୁ ପାଣି ଆସିବା ପରେ କ୍ଷେତ୍ରବାସୀ ବ୍ରାହ୍ଣଣ ନିଯୋଗର ସେବାୟତ ରଥ ପ୍ରତିଷ୍ଠା ପୂଜା କରିଥିଲେ । ସେହିଭଳି ନେତ ପୂଜା କରାଯାଇଥିଲା ଏବଂ ରଥ ଚୂଡ଼ାରେ ନେତ ଲଗାଯାଇଥିଲା । ଏହି ରଥର ବିଶେଷତ୍ବ ହେଉଛି ଏହା ଅଣଲେଉଟା । ରୁକୁଣା ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହି ଅବସରରେ ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ମରିଚି କୁଣ୍ଡ ପାଣି ନିଲାମ କରାଯାଇଛି  । ୨୧ ହଜାର ଟଙ୍କାର କଟକ ଦାମୋଦରପୁରର ଜିତେନ୍ଦ୍ର ମହାରଣା ଓ ଜ୍ୟୋତ୍ସ୍ନା ମହାରଣା ମରିଚି କୁଣ୍ଡର ପବିତ୍ର ଜଳକୁ ସଂଗ୍ରହ କରିଛନ୍ତି । ଏହି ଜଳକୁ ଗ୍ରହଣ କରିବା ସହ ସ୍ନାନ କଲେ ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି କାହିଁ କେଉଁ ଆବାହମାନ କାଳରୁ ଶ୍ରଦ୍ଧାଳୁଙ୍କ ମନରେ ବିଶ୍ୱାସ ରହିଛି  ।

 

ଆହୁରି ପଢ଼ନ୍ତୁ :  ସ୍ବତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ, ୯ ତାରିଖ ଯାଏଁ ଚାଲିବ ଏହି ଚୟନ ପ୍ରକ୍ରିୟା