ପଞ୍ଚାୟତ ଯୁଦ୍ଧ ପାଇଁ ପ୍ରସ୍ତୁତ ଯୋଦ୍ଧା: ଆଜି ୨୨  ଜିଲ୍ଲା ପରିଷଦ ପ୍ରାର୍ଥୀ ସହ ୧୧୨୨ ସରପଞ୍ଚ ଓ ୫୧୨ ଜଣ ସମିତି ସଭ୍ୟ ଭରିଲେ ନାମାଙ୍କନ

କେନ୍ୟୁଜ୍(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲର ପ୍ରଥମ ଦିନ। କମ୍‌ ଥିଲା ପ୍ରାର୍ଥୀ ସଂଖ୍ୟା। ୨୧ ତାରିଖ ଯାଏ ପ୍ରାର୍ଥିପତ୍ର ଦାଖଲ ହେବ। ଆଗକୁ ପ୍ରାର୍ଥିପତ୍ର ଦାଖଲ ସଂଖ୍ୟା ବଢିବ। ୱାର୍ଡ ମେମ୍ବର ଓ ସରପଞ୍ଚ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ, ସମିତ ସଭ୍ୟ ପାଇଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଗ୍ରହଣ କରାଯାଉଛି। ପ୍ରଥମ ଦିନରେ ୮ହଜାର ୭୭୨ ପ୍ରାର୍ଥିପତ୍ର ଦାଖଲ ହୋଇଛି । ୨୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ୧୧ଶହ ୨୨ ସରପଞ୍ଚ ଓ ୫୧୨ ଜଣ ସମିତି ସଭ୍ୟ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ସେପଟେ ପଞ୍ଚାୟତ ନିର୍ବାଚନରେ ନିୟୋଜିତ ସାଧାରଣ ଓ ନିର୍ବାଚନୀ ଖର୍ଚ୍ଚ ତଦାରଖ ପାଇଁ ପର୍ଯ୍ୟବେକ୍ଷକଙ୍କର ଆଜି ଭୁବନେଶ୍ୱରରେ ଏକ ପ୍ରଶିକ୍ଷଣ ଶିବିର ହୋଇଥିଲା । ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ।

କୋଭିଡ୍‌ ପାଇଁ ନାମାଙ୍କନ ଦାଖଲ ସମୟରେ ମଧ୍ୟ କଟକଣା ଲଗିଛି। ପ୍ରାର୍ଥୀ ଓ ସମର୍ଥକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ପ୍ରାର୍ଥୀ କିମ୍ବା ତାଙ୍କର ଜଣେ ପ୍ରସ୍ତାବକ ନିର୍ବାଚନ ଅଧିକାରୀଙ୍କ ପ୍ରକୋଷ୍ଠକୁ ପ୍ରବେଶ ପାଇଁ ଅନୁମତି ରହିଛି। ମନୋନୟନ ପତ୍ର ସହ ଏକ ସତ୍ୟପାଠ ଦାଖଲ କରିବେ ପ୍ରାର୍ଥୀ। ଶିକ୍ଷାଗତ ଯୋଗ୍ୟତା, ବ୍ୟାଙ୍କ ଜମା, ବାର୍ଷିକ ଆୟ, ସମ୍ପତ୍ତିର ସବିଶେଷ ବିବରଣୀ ଏବଂ ନିଜ ନାଁରେ ଥିବା ଅପରାଧିକ ମାମଲର ତଥ୍ୟ ଦେବାକୁ କୁହାଯାଇଛି।

ଆଜି ପ୍ରଥମ ଦିନରେ କମ ସଂଖ୍ୟକ ପ୍ରାର୍ଥୀ ନାମାଙ୍କନ ଦାଖଲ ପାଇଁ ଆସିଥିଲେ। ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ପ୍ରମୁଖ ଦଳରେ ପ୍ରାର୍ଥୀ ଚୂଡ଼ାନ୍ତ କରିବା ବଡ଼ ଚ୍ୟାଲେଞ୍ଜ ହୋଇଛି। ଦିନେ ଦି ଦିନରେ ପ୍ରାର୍ଥୀ ଚୂଡ଼ାନ୍ତ ହେବା ପରେ ପ୍ରାର୍ଥିପତ୍ର ଦାଖଲ ସଂଖ୍ୟା ବଢିବ ବୋଲି ଅନୁମାନ କରାଯାଉଛି। ସେହିପରି ଓଡିଶାର ଦ୍ବିତୀୟ ସର୍ବବୃହତ ବ୍ଲକ ମୋହନାରେ ୩୭ ଜଣ  ପ୍ରର୍ଥୀପତ୍ର ଦାଖଲ କରିଛନ୍ତି ତା ଭିତରୁ ୨୭ ୱାର୍ଡ ମେମ୍ବର, ୭ ସରପଞ୍ଚ ଓ ୩ ସମିତି ସଭ୍ୟ ଅଛନ୍ତି।