ପ୍ରବଳ ହଟ୍ଟଗୋଳ ମଧ୍ୟରେ ଆରମ୍ଭ ହୋଇଛି ଲୋକସଭାର ଅଧିବେଶନ, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାକୁ ନେଇ ପ୍ରଶ୍ନ କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ

ନୂଆଦିଲ୍ଲୀ: ପ୍ରବଳ ହଟ୍ଟଗୋଳ ମଧ୍ୟରେ ଆରମ୍ଭ ହୋଇଛି ଲୋକସଭାର ଅଧିବେଶନ । ଲୋକସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ସାଂସଦମାନେ ସିଏଏକୁ ନେଇ ହଙ୍ଗାମା କରିଛନ୍ତି । ସିଏଏ ଫେରାଇ ନେବା ପାଇଁ ବିରୋଧୀ ସାଂସଦମାନେ ନାରା ଲଗାଇଥିଲେ । ଏହା ସହ ଜାମିଆ ଓ ସାହିନବାଗ୍‌ରେ ହୋଇଥିବା ଗୁଳିକାଣ୍ଡ ନେଇ ମଧ୍ୟ ନାରା ଦେଇଥିଲେ । ଏହି ଘଟଣାକୁ ନେଇ ଗୃହରେ ଆଲୋଚନା ଦାବି କରିଛନ୍ତି ବିରୋଧୀ । AIMIM ମୁଖ୍ୟ ଅସଦୁଦ୍ଦିନ୍‌ ଓବେସୀ କହିଛନ୍ତି, ସରକାର ଜାମିଆର ଛାତ୍ରଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ପ୍ରବଳ ହଟ୍ଟଗୋଳ ଯୋଗୁ ଲୋକସଭା ଦିନ ୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ସେପଟେ ପ୍ରବଳ ହଙ୍ଗାମା ଯୋଗୁ ରାଜ୍ୟସଭା ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା ।

bartuhariଲୋକସଭାରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାକୁ ନେଇ ପ୍ରଶ୍ନ କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । ୫ ବର୍ଷ ହେଲା ଏହି ଯୋଜନା ଚାଲିଛି, ହେଲେ ଏପର୍ଯ୍ୟନ୍ତ ଉପଯୁକ୍ତ କୌଶଳ ବ୍ୟବସ୍ଥା କରାଯାଇନାହିଁ । ଏଥିପାଇଁ କେନ୍ଦ୍ର ସରକାର କଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଭର୍ତ୍ତୃହରି । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଯୁବକଙ୍କୁ ଆତ୍ମନିର୍ଭରଣୀଳ କରିବାକୁ ଭଲ ଯୋଜନା । ଏହାଦ୍ୱାରା ଯୁବକମାନେ ଦେଶ ଭିତରେ ଓ ଦେଶ ବାହାରେ ରୋଜଗାରକ୍ଷମ ହୋଇପାରିବେ ବୋଲି କୁହାଯାଇଥିଲା । ହେଲେ ସେଭଳି ଲାଭବାନ ହେଉନାହାନ୍ତି ହିତାଧିକାରୀ । ଏହାସହ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ୨୦୨୦ ଦ୍ୱିତୀୟ ପର୍ଯ୍ୟାୟ ସରିବାକୁ ବସିଛି, ତୃତୀୟ ପର୍ଯ୍ୟାୟ ପାଇଁ କେନ୍ଦ୍ର ଆଉ କିଛି ଯୋଜନା କରିଛନ୍ତି କି ? ଏହି ପ୍ରଶ୍ନ କରିଛନ୍ତି କଟକ ସାଂସଦ ।

You might also like