ଦୀର୍ଘ ବର୍ଷ ପ୍ରତୀକ୍ଷାର ହେବାକୁ ଯାଉଛି ଅନ୍ତ, ଆଜିଠୁ ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିବ ଟ୍ରେନ

ନୟାଗଡ଼: ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ଆଜିଠୁ ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିବ ଟ୍ରେନ । ଦିନ ଗୋଟାଏ ୩୦ରେ ଭୁନେଶ୍ୱରରୁ ନୟାଗଡ଼କୁ ଚଳାଚଳ କରିବ ସେବା ଏକ୍ସପ୍ରେସ୍ । ଏହି ଟ୍ରେନ ପ୍ରତିଦିନ ଚଳାଚଳ କରିବ । ନୂଆଦିଲ୍ଲୀରେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ସେହିପରି ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, କୃଷି ମନ୍ତ୍ରୀ ଅରୁଣ ସାହୁ, ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ଅପରାଜିତା ଷଡଙ୍ଗୀ, ସାଂସଦ ପିନାକୀ ମିଶ୍ର, ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ ପ୍ରତିଦିନ ସଂଧ୍ୟା ୬ଟା ୪୦ରେ ଭୁବନେଶ୍ୱର ଛାଡ଼ିବ । ରାତି ୮ଟା ୪୫ରେ ନୟାଗଡ଼ରେ ପହଞ୍ଚିବ । ସେହିପରି ନୟାଗଡ଼ ଟାଉନ-ଭୁବନେଶ୍ୱର ଏକ୍ସପ୍ରେସ ସକାଳ ୬ଟା ୩୦ରେ ନୟାଗଡ଼ ଛାଡ଼ିବ । ସକାଳ ୯ଟାରେ ଭୁବନେଶ୍ୱରରେ ପହଞ୍ଚିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି ।