ଆଜି ବଲାଙ୍ଗୀରର ପ୍ରସିଦ୍ଧ ଶୁଲିଆ ଯାତ୍ରା ; ରକ୍ତରଞ୍ଜିତ ହେବ ପୀଠ

ବଲାଙ୍ଗିର: ଆଜି ବଲାଙ୍ଗିରର ପ୍ରସିଦ୍ଧ ଶୁଲି ଯାତ୍ରା । ରକ୍ତ ରଞ୍ଜିତ ହେବ ବଲାଙ୍ଗିରର ଶୁଲିଆ ପୀଠ। ଦେଓଗାଁ ବ୍ଲକ ଖଇରଗୁଡ଼ାର ବଡ଼ଖଳା ଓ କୁମୁରିଆର ସାନଖଳାରେ ହେବ ଆଦିବାସୀଙ୍କ ପ୍ରସିଦ୍ଧ ଶୂଲିଆ ପୂଜା । ପରମ୍ପରା ଅନୁସାରେ ପଶୁ ପକ୍ଷୀଙ୍କୁ ବଳିଦିଆଯିବ । ପ୍ରତିବର୍ଷ ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଭୋରରୁ ମୁଖ୍ୟ ପୂଜକ ଓ ଦେହୁରୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୀଠରେ ପହଞ୍ଚିଥାନ୍ତି । ପୀଠରେ ନିଶିପୂଜା ପରେ ପୂଜାର୍ଚ୍ଚନା କରାଯାଇଥାଏ । ତାପରେ ପ୍ରଥମେ କୁକୁଡ଼ା ବଳି ଦେଇ ଶୁଳିଆ ବୁଢାକୁ ଭୋଗ ଅର୍ପଣ କରାଯାଇଥାଏ । ମାନସିକଧାରୀ ମାନେ ଆଣିଥିବା ପୋଢ଼, ବେତା, ମେଣ୍ଢା, କୁକୁଡ଼ା, ବତକ ଶହ ଶହ ସଂଖ୍ୟରେ ବଳି ଦିଆଯାଇଥାଏ । ପଶୁପକ୍ଷୀଙ୍କ ରକ୍ତରେ ଖଇରଗୁଡ଼ାର ବଡ଼ଖଳା ଓ କୁମୁରିଆର ସାନଖଳା ରକ୍ତରଞ୍ଜିତ ହୁଏ ।

ଗତ କିଛି ବର୍ଷ ହେବ ବଳି ପ୍ରଥାକୁ ନେଇ ବିବାଦ ଲାଗି ରହିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଆଉ ଆଦିବାସୀଙ୍କ ପରମ୍ପରାରେ କେହି ହସ୍ତକ୍ଷେପ କରୁନାହାନ୍ତି । ଫଳରେ ବଳି ରୋକିବାକୁ ଆଉ କିଛି ପଦକ୍ଷେପ କିମ୍ବା କଟକଣା ନାହିଁ । କେବଳ ଶାନ୍ତି ଶୃଙ୍ଖଳା ପାଇଁ ଜଣେ ଅତିରିକ୍ତ SP, ଚାରିଜଣ DSP, ଇନିସ୍ପେକ୍ଟର, ASI, ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଓ ହୋମଗାର୍ଡ ମୁତୟନ ହୋଇଛନ୍ତି । ଗତରାତିରେ ନିଶି ପୂଜା ସରିଥିବା ବେଳେ ଆଜି ଶୂଲିଆ ଯାତ୍ରା ପାଳନ ହେଉଛି  ।