ଆଜି ଭୁବନେଶ୍ବର ଆସିବେ ରାଷ୍ଟ୍ରପତି, ଆସନ୍ତାକାଲି ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ସମାରୋହରେ ଯୋଗଦେବେ
ଭୁବନେଶ୍ବର: ଆଜି ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅପରାହ୍ଣ ୪ଟା ୩୫ରେ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ରାଜଭବନ ଯାଇ ସେଠାରେ ରାତ୍ରୀଯାପନ କରିବେ। ଆସନ୍ତାକାଲି ୧୮ତମ ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ସମାରୋହରେ ଯୋଗଦେବେ। ୧୧ଟା ବେଳକୁ ରାଜଭବନରୁ ସମ୍ମିଳନୀସ୍ଥଳ ଅଭିମୁଖେ ବାହାରିବେ। ସମାରୋହରେ ପ୍ରବାସୀଙ୍କ ଅବଦାନ ସମ୍ପର୍କରେ ଅଭିଭାଷଣ ରଖିବେ। ଏହାସହ ୧୭ଜଣ ପ୍ରବାସୀ ଭାରତୀୟଙ୍କୁ ପୁରସ୍କୃତ କରିବେ। ସେଠାରେ ପ୍ରାୟ ୫ଘଣ୍ଟା ବିତାଇବା ପରେ ପୁଣି ବିମାନବନ୍ଦର ଅଭିମୁଖେ ବାହାରିବେ। ରାଷ୍ଟ୍ରପତିଙ୍କ କାରକେଡ ଯିବା ପାଇଁ ଦିନ ୧୧ଟା ୨୦ ମିନିଟରୁ ୧୧ଟା ୫୦ ମିନିଟ ଯାଏଁ ରାଜଭବନରୁ ନାଲକୋ ଛକ ରାସ୍ତା ସଂପୂର୍ଣ୍ଣ ବନ୍ଦ କରାଯିବ।
ସେହିପରି ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ସକାଳ ୧୦ଟାରେ ଜନତା ମୈଦାନରେ ୪ଟି ପ୍ରଦର୍ଶନୀର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରବାସୀ ଭାରତୀୟ ଏକ୍ସପ୍ରେସର ରିମୋଟ୍ ମାଧ୍ୟମରେ ଶୁଭାରମ୍ଭ ଏବଂ ପ୍ରମୋସନାଲ ଷ୍ଟଲ ପରିଦର୍ଶନ କାର୍ଯ୍ୟକ୍ରମ ରହିଛି ।
ଗତକାଲି ସ୍ବତନ୍ତ୍ର ବିମାନରେ ଆସି ରାତି ପାଖାପାଖି ସାଢ଼େ ୮ଟାରେ ଭୁବନେଶ୍ବରରେ ପହଞ୍ଚିଥିଲେ ମୋଦି। ସେଠାରେ ତାଙ୍କୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ପ୍ରମୁଖ ସ୍ବାଗତ କରିଥିଲେ । ବିମାନବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପାରମ୍ପରିକ ନୃତ୍ୟଗୀତ ଆୟୋଜନ ହୋଇଥିଲା । ଏୟାରପୋର୍ଟରୁ ସିଧା ରାଜଭବନ ଆସିଥିଲେ ପ୍ରଧାନମନ୍ତ୍ରୀ । ରାଜଭବନରେ ରାତ୍ରି ରହଣି କରିଥିଲେ। ଆଜି ପ୍ରବାସୀ ଭାରତୀୟ ମହାକୁମ୍ଭର ଆନୁଷ୍ଠାନିକ ଉଦଘାଟନ କରିବେ। ପ୍ରବାସୀଙ୍କ ସହ ଆଲୋଚନା କରିବେ ମୋଦି ।