ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି, ଆସନ୍ତାକାଲି ସନ୍ଧ୍ୟା ୫ଟା ପରେ ଦର୍ଶନ ବନ୍ଦ

ପୁରୀ : ୧୫ ତାରିଖରେ ବାହୁଡା଼ ଯାତ୍ରା । ଆସନ୍ତାକାଲି ନବମୀରେ ସନ୍ଧ୍ୟା ଦର୍ଶନ। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭକ୍ତମାନେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ । ବାହୁଡ଼ାଯାତ୍ରା ପାଇଁ ପୂର୍ବ ପ୍ରସ୍ତୁତି ଥିବାରୁ ସନ୍ଧ୍ୟା ୫ଟାରୁ ବନ୍ଦ ରହିବ ସର୍ବ ସାଧାରଣ ଦର୍ଶନ। ଏ ନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି । ପୁରୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।
ଅନ୍ୟପଟେ ପବିତ୍ର ହେରା ପଞ୍ଚମୀ ଦିନ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଆସି ନନ୍ଦିଘୋଷ ରଥର ଚକ ଭାଙ୍ଗିବାପରେ ଆରମ୍ଭ ହୋଇଛି ବାହୁଡ଼ା ଯାତ୍ରା ଲାଗି ପ୍ରସ୍ତୁତି। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ତିନି ରଥର ଦକ୍ଷିଣ ମୋଡ଼ କରାଯାଇଛି । ଜୁଲାଇ ୧୫ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଶୁକ୍ରବାର ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ତିନି ରଥର ଦକ୍ଷିଣ ମୋଡ଼ ଆରମ୍ଭ ହୋଇଥିଲା । ଅନେକ ଭକ୍ତ, ସେବାୟତ ଓ ପୋଲିସ ବାହିନୀଙ୍କ ସହଯୋଗରେ ରଥ ଟଣାଯାଇଥିଲା । ପରମ୍ପରା ଅନୁସାରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ, ଏହାପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଶେଷରେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଇଛି । ରଥଗୁଡ଼ିକୁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଛି।