ବଦଳିଲେ ସିପିଆଇ ମାଓବାଦୀ ଟପ୍‌ ନେତା ଗଣପତି, ଏବେ ଏନ୍‌. କେଶବ ରାଓ ମୁଖ୍ୟ

ଆନ୍ଧ୍ରପ୍ରଦେଶ(କେନ୍ଯୁଜ୍) : ବଦଳିଲେ ଟପ୍‌ ମାଓନେତା । ସିପିଆଇ ମାଓବାଦୀ ଟପ୍‌ ନେତା ଗଣପତି ବଦଳିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଗଣପତିଙ୍କ ସ୍ଥାନରେ ଏନ୍‌. କେଶବ ରାଓଙ୍କୁ ସିପିଆଇ ମାଓବାଦୀ ମୁଖ୍ୟ କରାଯାଇଥିବା ସୂଚନା ମିଳିଛି । କୁହାଯାଉଛି ଗଣପତି ଅବସର ନେଇଛନ୍ତି । ତାଙ୍କ ସ୍ଥାନରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର କେଶବ ରାଓଙ୍କୁ ଦାୟିତ୍ୱ ଦିଆଯାଇଛି । କେଶବ ରାଓ ମାଓବାଦୀ ସେଣ୍ଟ୍ରାଲ ମିଲିଟାରୀ କମିଶନର ମୁଖ୍ୟ ଥିଲେ । ପିଏଲ୍‌ଜିର ମଧ୍ୟ ସେ ମୁଖ୍ୟ ଥିଲେ । ଆଇଇଡି ବିସ୍ଫୋରଣ, ଆଇଇଡି ଲଗାଇବା ଆଦିରେ ସେ ପାରଙ୍ଗମ । ଦୀର୍ଘ ୨୮ ବର୍ଷ ଧରି ସେ ମାଓ ସଂଗଠନରେ ଅଛନ୍ତି । ୨୦୧୭ ଫ୍ରେବୃଆରୀରେ ହୋଇଥିବା ମାଓଇଷ୍ଟ ସେଣ୍ଟ୍ରାଲ କମିଟିର ବୈଠକର ନିଷ୍ପତ୍ତି ଅନୁସାରେ ଅଧିକ ବୟସ ହୋଇଯିବା ପରେ ମାଓ ମୁଖ୍ୟଙ୍କୁ ପରିବର୍ତ୍ତନ କରାଯିବ । ଫଳରେ ୭୧ ବର୍ଷୀୟ ଗଣପତି ମାଓବାଦୀ ମୁଖ୍ୟ ପଦରୁ ଅବସର ନେଇଛନ୍ତି ।