ନଦୀ ମଝିରେ ଭିତରକନିକା ବୁଲି ଆସିଥିବା ପର୍ଯ୍ୟଟକଙ୍କ ବୋଟ ଅଚଳ, ୩ ଘଣ୍ଟା ପରେ ଉଦ୍ଧାର
ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନକୁ ଆଜି ବୁଲି ଆସିଥିବା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ୨ ଟି ବୋଟ ହେଲା ଅଚଳ | ଦୀର୍ଘ ୩ ଘଣ୍ଟା ମଝି ନଈରେ ଫସି ରହିବା ପରେ ବନ ବିଭାଗ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି | ଆଜି ଭୁବନେଶ୍ୱର ଓ ଯାଜପୁରରୁ ବରିଷ୍ଠ ନାଗରିକମାନେ ଭିତରକନିକା ବୁଲି ଆସି ଗୁପ୍ତିରୁ ମା ମଙ୍ଗଳା ଓ ମା ଗୁପ୍ତଚଣ୍ଡୀ ୨ ଟି ବୋଟ ଯୋଗେ ଡ଼ାଙ୍ଗମାଳ ବୁଲିବା ପାଇଁ ଯାଇଥିଲେ | ବୁଲି ଫେରିବା ସମୟରେ ନଦୀ ମଧ୍ୟରେ ପ୍ରଥମେ ମା ଗୁପ୍ତଚଣ୍ଡୀ ବୋଟ ଖରାପ ହୋଇ ଯାଇଥିଲା | ଗୁପ୍ତଚଣ୍ଡୀ ବୋଟକୁ ମା ମଙ୍ଗଳା ବୋଟ ଟାଣି ଆଣିବା ସମୟରେ ସେ ବୋଟଟି ମଧ୍ୟ ଖରାପ ହୋଇଯାଇଥିଲା |
ଫଳରେ ପର୍ଯ୍ୟଟକମାନେ ଭୟଭୀତ ଅବସ୍ଥାରେ ପ୍ରାୟ ୩ ଘଣ୍ଟା ରହିବା ପରେ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀଙ୍କୁ ଯୋଗା ଯୋଗ କରିଥିଲେ | ପରେ ବିଭାଗ ସରକାରୀ ବୋଟ ପଠାଇ ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରିଛି | ପର୍ଯ୍ୟଟକମାନେ କୂଳରେ ପହଂଚିବା ପରେ ବ୍ୟବସ୍ଥା ଉପରେ ଅସନ୍ତୋଷ ଜାହିର କରିଛନ୍ତି | ତୁରନ୍ତ ସରକାର ଏହି ଭଙ୍ଗା ଦଦରା ବୋଟ ହଟାଇ ନୂତନ ବୋଟ ଚଲାନ୍ତୁ ବୋଲି କହିଛନ୍ତି ପର୍ଯ୍ୟଟକ | ଦୁଇଟି ବୋଟରେ ମୋଟ 31 ଜଣ ପର୍ଯ୍ୟଟକ ଭିତରକନିକା ବୁଲିବା ପାଇଁ ଯାଇଥିଲେ |