ଗଞ୍ଜାମରେ ରହି ଆସିଛି ଧନୁ ସଂକ୍ରାନ୍ତି ପୂର୍ବରୁ ଓ ମକର ସଂକ୍ରାନ୍ତି ପର ପର୍ଯ୍ୟନ୍ତ ମୁଆଁ ବିକ୍ରିର ପରମ୍ପରା 

ଗଞ୍ଜାମ: ଏବେ ଚାଲିଛି ମୁଆଁର ସମ୍ଭାର । ଧନୁ ସଂକ୍ରାନ୍ତି ପୂର୍ବରୁ ଓ ମକର ସଂକ୍ରାନ୍ତି ପର ପର୍ଯ୍ୟନ୍ତ ମୁଆଁ ବିକ୍ରିର ପରମ୍ପରା ରହି ଆସିଛି ଗଞ୍ଜାମ ଜିଲ୍ଲାରେ । ଲିଆ ଓ ଚିନି ପାଗରେ ନଡ଼ିଆ ପାତି ଓ କାଜୁ ଦେଇ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥାଏ ଏହି ମୁଆଁ ମିଠେଇକୁ । ଏହା ଧନୁ ମୁଆଁ ନାମରେ ପରିଚିତ । ମୁଆଁ ଖାଇବା, ଖୁଆଇବା ଓ ଦେବ ଦେବୀଙ୍କ ଠାରେ ଅର୍ପଣ କରିବା ବହୁ ପୁରାତନ ପରମ୍ପରା ରୂପେ ରହି ଆସିଛି । ଏଠିକାର ପରମ୍ପରା ଓ ସଂସ୍କୃତି ସହ ବର୍ଷ ବର୍ଷ ଧରି ଛନ୍ଦି ହୋଇ ରହିଛି ଏହି ମୁଆଁର ଭୂମିକା । ଧନୁ ସଂକ୍ରାନ୍ତି ଆସିଗଲେ ଏହାର ଗୁରୁତ୍ୱ ବଢ଼ିଯାଏ । ଘରେ ଘରେ ଲୋଡ଼ା ପଡ଼ିଥାଏ ଏହି ମୁଆଁ । ମୁଆଁ ଦୋକାନରେ ଭିଡ଼ ମଧ୍ୟ ଲାଗିଥାଏ ମୁଆଁ କିଣିବା ପାଇଁ ।

ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଭିନ୍ନ ଭିନ୍ନ ଆକୃତିର ଭିନ୍ନ ଭିନ୍ନ କିସମର ମୁଆଁକୁ ପ୍ରସ୍ତୁତ କରିଥାନ୍ତି ବ୍ୟବସାୟୀମାନେ । ମୁଆଁ କିଣା ବିକାର ଭିଡ଼ ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ବ୍ୟାପକ ଭାବେ ଦେଖିବାକୁ ମିଳୁଥିଲେ ବି ନଭେମ୍ବରରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ବଜାରରେ ଉପଲବ୍ଧ ହୋଇଥାଏ ଏହି ମୁଆଁ । ସହର ତଥା ଜିଲ୍ଲା ବାସିନ୍ଦା ମୁଆଁ କିଣି ଠାକୁରଙ୍କ ଠାରେ ଭୋଗ ଲାଗି କରିବା ପରେ ବନ୍ଧୁ ବାନ୍ଧବ ଓ ସାଙ୍ଗ ସାଥୀଙ୍କ ମେଳରେ ଖାଇଥାନ୍ତି । ସାଧାରଣ ମୁଆଁ କିଲୋ ୧୫୦ ଟଙ୍କାରୁ ଆରମ୍ଭ କରି ଗୁଆ ଘିଅରେ ପ୍ରସ୍ତୁତ ମୁଆଁର ଦାମ୍ ୬୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ । ଗଞ୍ଜାମ ଜିଲ୍ଲା ବିଶେଷ କରି ରେଶମ ସହର ବ୍ରହ୍ମପୁର କଳା, ସଂସ୍କୃତି ଓ ପରମ୍ପରାକୁ ଧରି ରଖିବାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ।

ନଭେମ୍ବର ମାସରୁ ବଜାରକୁ ଆସି ଯାଇଥାଏ ମୁଆଁ । ଏହି ସମୟରେ ପ୍ରାୟତଃ ନୂତନ ଧାନ ଓ ଆଖୁ ଅମଳ ହୋଇ ସାରିଥିବାରୁ ନୂଆ ଧାନରୁ ପ୍ରସ୍ତୁତ ଲିଆ ଓ ଆଖୁରେ ପ୍ରସ୍ତୁତ ଚିନି କିମ୍ବା ଗୁଡ଼ରେ ନାରଙ୍ଗି ରସ ପକାଇ ଏକ ସ୍ୱତନ୍ତ୍ର ପାଗ କରାଯାଏ । ଆଉ ସେହି ପାଗକୁ ପୂର୍ବରୁ କରାଯାଇଥିବା ଭିନ୍ନ ଭିନ୍ନ ଡ଼ିଜାଇନ୍ ର କାଠ ଫ୍ରେମ୍ ତଥା ଛାଞ୍ଚରେ ଭର୍ତି କରାଯାଇ ଉପରେ ମୁଆଁର ସୌନ୍ଦର୍ଯ୍ୟ ଓ ସ୍ୱାଦିଷ୍ଟ ପାଇଁ ନଡ଼ିଆ ପାତି, କିସ୍‌ମିସ୍‌, କାଜୁ ଆଦି ସଜେଇ ରଖାଯାଏ । ପାଗ ଥଣ୍ଡା ହେବା ସହ ସେସବୁ ମଧ୍ୟ ସମାପ୍ତ ହୋଇଥାଏ । ଆଉ ଏହା ପରେ ବିକ୍ରି ପାଇଁ ବଜାରକୁ ଯାଇଥାଏ । ଗଞ୍ଜାମ ଜିଲ୍ଲାରେ ମୁଆଁ ଖାଇବା ଓ ଖୁଆଇବା ପୁରାତନ ସଂସ୍କୃତି ଓ ପରମ୍ପରାର ଅଂଶବିଶେଷ ବୋଲି କୁହନ୍ତି ସଂସ୍କୃତି ଗବେଷକ । ଅନ୍ୟ ପଟେ ସହରର ଇଷ୍ଟଦେବୀ ତଥା ମା ବୁଢ଼ି ସାଆନ୍ତାଣିଙ୍କ ପୀଠରେ ଧନୁ ସଂକ୍ରାନ୍ତିରୁ ଆରମ୍ଭ କରି ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମାଆଙ୍କ ଠାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପକ୍ଷରୁ ମୁଆଁ ଭୋଗ ଲାଗି କରାଯାଏ ବୋଲି କୁହନ୍ତି ମନ୍ଦିରର ପୂଜକ ।