ହଜିଯିବାକୁ ବସିଲାଣି ପାରମ୍ପରିକ କଳା ଡୁମ୍ପା ବାଦ୍ୟ, ବାଉଁଶ ଓ କାଠିରେ ସଙ୍ଗୀତର ସୁର

ଗଞ୍ଜାମ : ଲମ୍ବା ବାଉଁଶରେ କାଠି ବାଡେଇଲେ ସୃଷ୍ଟି ହୋଇଥାଏ ବନ ବାଦ୍ୟ, ଯାହାର ନା’ ଢୁମ୍ପା ବାଦ୍ୟ l ତାକୁ ସରସତା କରିବା ପାଇଁ ଆବଶ୍ୟକ ହୋଇଥାଏ ମୃଦଙ୍ଗ, ତବଲା, ହାରମିନିୟମ, ତାଳ ଏପରି କିଛି ସରଞ୍ଜାମ l ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ରହିଛି ଏହି ସ୍ୱତନ୍ତ୍ର ଲୋକ କଳା l ଢୁମ୍ପା ବାଦ୍ୟ ପରିବେଷଣ କରିବା ଏବେ ପ୍ରାୟ ଆଉ ଦେଖା ଯାଉନଥିବା ବେଳେ ଶ୍ରୀ ପଞ୍ଚମୀ ଅବସରରେ କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମ ତିଥିରେ ଦିଗପହଣ୍ଡି ରେ ଆୟୋଜିତ ହୋଇଥିଲା ଢୁମ୍ପା ପରିବେଷଣ l କବିସୂର୍ଯ୍ୟଙ୍କ କିଶୋରାଚନ୍ଦ୍ର ନନ୍ଦ ଚମ୍ପୁ ଏବଂ କବିସୂର୍ଯ୍ୟଙ୍କ ରଚିତ ସଙ୍ଗୀତ ଏବଂ କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ସଙ୍ଗୀତ ଏଥିରେ ସ୍ଥାନିତ ଥିବା ଯୋଗୁଁ ଏହାକୁ ମନ ଭରି ଉପଭୋଗ କରିଥିଲେ ଦର୍ଶକ l କଳାକାର ମାନେ ବେଶ ପୋଷାକରେ ସଜ୍ଜିତ ହୋଇ ଢୁମ୍ପା ପରିବେଷଣ କରିଥିଲେ l ଦିଗପହଣ୍ଡିର ଢୁମ୍ପା ବିଷୟରେ ବିଶ୍ୱବିଦ୍ୟାଳୟରେ ପାଠ୍ୟରେ ସ୍ଥାନ ପାଇଥିବା କହିଛନ୍ତି କଳାକାର l
ପୂର୍ବରୁ ଢୁମ୍ପା ରେ ୫୩ ପ୍ରକାର ବାଦ୍ୟ ରହିଥିଲା। ବଡ଼ ଖେମୁଣ୍ଡି ରାଜା ଚୈତନ୍ୟ ଦେବଙ୍କ ଅମଳରେ ଏବଂ ପ୍ରୋତ୍ସାହନରେ ଏହି ବାଦ୍ୟ ରହିଥିବା ବେଳେ ରାଜା ବିଭିନ୍ନ ସମୟରେ ଏକ ପାହାଡ଼ ନିକଟରେ ଏହାକୁ ପରିବେଷଣ କରୁଥିଲେ ବୋଲି କଥିତ ରହିଛି l ଏହାର ବହୁ ପୁରୁଣା କଳାକାର ରହିଥିଲେ କିନ୍ତୁ କାଳ କ୍ରମେ ଧିରେ ଧିରେ ଢୁମ୍ପା ହଜିଯିବାକୁ ଯାଉଥିବା ବେଳେ କିଛି କଳାକାର ପୁଣି ୨୦୦୦ ମସିହାରେ ଆରମ୍ଭ କରାଯାଇଛି ଏହି ଅନୁଷ୍ଠାନ l ଦଶ ଫୁଟ ଏକ ପୋଲା ବାଉଁଶରେ କାଠିକୁ ପ୍ରହାର କଲେ ସେଥିରୁ ସୃଷ୍ଟି ହୋଇଥାଏ ବାଦ୍ୟର ଝଙ୍କାର l ତେବେ ଯେପରି ଭାବରେ ଏହି କଳା ପରିବେଷଣ ହୋଇଥାଏ ତାହା ଅତ୍ୟନ୍ତ ଚମତ୍କାର ବୋଲି କହନ୍ତି କଳାକାର ଏବଂ ବୁଦ୍ଧିଜୀବୀ l