କାଠ ନେଉଛି ଜୀବନ୍ତ ରୂପ, ଖୋଦେଇ କରି ଦେବାଦେବୀଙ୍କ ନିଖୁଣ ମୂର୍ତ୍ତି ତିଆରି କରି ପ୍ରଶଂସା ସାଉଁଟୁଛନ୍ତି ଶିଳ୍ପୀ ଯୁଧିଷ୍ଠିର ମହାରଣା
ଗୋପ(କେନ୍ୟୁଜ୍): କଥା କହୁଛି ଶିଳ୍ପୀର ହାତ । କାଠରେ ବିଭିନ୍ନ ଦେବାଦେବୀଙ୍କ ନିଖୁଣ ମୂର୍ତ୍ତି ତିଆରି କରି ବେଶ ପ୍ରଶଂସା ସାଉଁଟୁଛନ୍ତି ପୁରୀ ଜିଲ୍ଲା ନିମାପଡ଼ାର ଯୁଧିଷ୍ଠିର ମହାରଣା । ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି । ଗମ୍ଭାରୀ, ଲିମ୍ବ, ଶାଗୁଆନ, ଆକାଶୀ ଓ ଶିଶୁ କାଠକୁ ସାଇଜ୍ କରି ପ୍ରଥମେ ସେଥିରେ ପେନସିଲରେ ଦେବଦେବୀଙ୍କ ଚିତ୍ର ଆଙ୍କିଥାନ୍ତି ଯୁଧିଷ୍ଠିର । ଏହା ପରେ ତାକୁ ଦିଅନ୍ତି ଦେବଦେବୀଙ୍କ ରୂପ ।
୨୦୦୪ରେ ମାଟ୍ରିକ୍ ପାସ୍ ପରେ ଭୁବନେଶ୍ୱରର ଏକ ଅନୁଷ୍ଠାନରୁ କାଠ କାରିଗର ଉପରେ ପ୍ରଶିକ୍ଷଣ ନେଇଥିଲେ ଯୁଧିଷ୍ଠିର ମହାରଣା । ଏହାପରେ କଳାହାଣ୍ଡି ଜିଲ୍ଲାରେ ଏକ ପ୍ରଶିକ୍ଷଣ କେନ୍ଦ୍ରରେ ସରକାରଙ୍କ ପକ୍ଷରୁ ତାଙ୍କୁ ନିଯୁକ୍ତି ମିଳିଥିଲା । ଗୋଟିଏ ମୂର୍ତ୍ତି ତିଆରି ପାଇଁ ତାଙ୍କୁ ପ୍ରାୟ ୨ ସପ୍ତାହ ସମୟ ଲାଗୁଥିବା ବେଳେ ଏହାକୁ ୧୦ ରୁ ୧୫ ହଜାର ଟଙ୍କାରେ ବିକ୍ରି କରିଥାଆନ୍ତି । କାଠ ଶିଳ୍ପୀ ଭାବେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଯୁଧିଷ୍ଠିର ସମ୍ବର୍ଦ୍ଧିତ ହୋଇଛନ୍ତି ।