ସୁନାବେଶ ପାଇଁ ଟ୍ରାଫିକ୍ ସହ ବ୍ୟାରିକେଡ ବ୍ୟବସ୍ଥା, ଶ୍ରଦ୍ଧାଳୁ ସିଧାସଳଖ ବଡ଼ଦାଣ୍ଡକୁ ଆସିପାରିବେନି

ପୁରୀ : ଆସନ୍ତାକାଲି ସୁନାବେଶ। ଶ୍ରୀକ୍ଷେତ୍ରରେ ରଥାରୁଢ଼ ମହାପ୍ରଭୁ ମହଣମହଣ ସୁନାରେ ସଜେଇ ହୋଇ ଦର୍ଶନ ଦେବେ । ସୁନାବେଶ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁନାବେଶ ପାଇଁ ଟ୍ରାଫିକ୍ ସହ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁ ସିଧାସଳଖ ବଡ଼ଦାଣ୍ଡକୁ ଆସିପାରିବେନି ।

ଭକ୍ତ ମାନେ ମାର୍କେଟ ଛକ ଠାରୁ ଏକପାଖିଆ ବ୍ୟାରିକେଡ଼ ଭିତରେ ପ୍ରବେଶ କରି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରି ପ୍ରସ୍ଥାନ କରିବେ। କୌଣସି ଗଳିକନ୍ଦିରେ ପଶି ଆସୁଥିବା ଭକ୍ତମାନଙ୍କୁ ଶ୍ରୀମନ୍ଦିର ନିକଟକୁ ଛଡ଼ା ଯିବ ନାହିଁ। ଭିଆଇପି ଓ ଭିଭିଆଇପି ମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବେଶି ଭିଡ ଥିଲେ ଚାଲିକି ଆସିବା ପାଇଁ ନିବେଦନ କରାଯାଉଛି।

ଆବଶ୍ୟକ ପଡ଼ିଲେ ବ୍ୟାଟେରୀ ଚାଳିତ ଗାଡ଼ିର ବ୍ୟବସ୍ଥା କରାଯିବ। ପାଳିଆ ସେବାୟତ ଏବଂ ଜରୁରୀକାଳୀନ ସେବା ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁନାବେଶ ପାଇଁ ୧୯୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ବରିଷ୍ଠ ପୋଲିସ ଅଧିକାରୀ ମାନେ ମୁତୟନ ରହିବେ। ଆସନ୍ତାକାଲି ସୁନାବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପ୍ରାୟ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରିଛି ପ୍ରଶାସନ।