ଘରେ ଆପେ ଆପେ ଲାଗିଯାଉଛି ନିଆଁ, ଅଲୌକିକ ନା ଆଉ କିଛି?

ପିପିଲି: ଆପେ ଆପେ ଲାଗିଯାଉଛି ନିଆଁ । କେହି ଲଗାଇବା ଆଗରୁ ଜଳିଯାଉଛି ସବୁକିଛି । ନିଆଁକୁ ଯେତେ ଆୟତ କଲେ ମଧ୍ୟ ଏହା ଥମିବାର ନାଁ ଧରୁନାହିଁ । ଘରର ଆସବାବ ପତ୍ର ଠାରୁ ଆରମ୍ଭ କରି ଶୋଇବା ଖଟରେ ମଧ୍ୟ ଲାଗିଯାଉଛି ନିଆଁ । ଲିଭାଇବା ପରେ ଲିଭିଯାଉଛି ପୁଣି କେଇ ଘଣ୍ଟା ପରେ ଆଉ ଏକ ସ୍ଥାନରେ ହୁତୁ ହୁତୁ ହୋଇ ଜଳିଉଠୁଛି । ଏହା ଏକ ଅନ୍ଧ ବିଶ୍ୱାସ ବୋଲି ଯେ କେହି ବି କହିବ । ହେଲେ ଏହା ପ୍ରକୃତରେ ଅନ୍ଧବିଶ୍ୱାସ ନା ଏକ ଅଲୌକିକ ଘଟଣା ନା ତନ୍ତ୍ର ସାଧନା ଦ୍ୱାରା ହେଉଛି? ଯେଉଁ ଘଟଣାକୁ ନେଇ ଆସୁଛି ଭିନ୍ନ ଭିନ୍ନ ଅଭିଯୋଗ ।

ତେବେ ପୁରୀ ଜିଲ୍ଲା ପିପିଲି ହାଟସାହି ପଞ୍ଚାୟତର ବଳନ୍ତସିଂହ ଦେଉଳି ଗାମରେ ଦେଖିବାକୁ ମିଳିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଯାହା ସୂଚନା ମିଳିଛି କି, ଗ୍ରାମର ତ୍ରିଲୋଚନ ବାରିକ ଖଣ୍ଡିମଙ୍ଗଳପୁର ଗ୍ରାମର ସଂଧ୍ୟାରାଣୀ ବାରିକଙ୍କୁ ପରିବାର ଇଚ୍ଛା ବିରୋଧରେ ପ୍ରେମ ବିବାହ କରିଥିଲେ । ଏଥିରେ ତାଙ୍କ ବାପା ଏବଂ ମାଆଙ୍କ ସହତି ଭଉଣୀ ଭିଣୋଇ ଅସନ୍ତୁଷ୍ଟ ରହିବା ପରେ ଘରେ ମନୋମାଳିନ୍ୟ ଲାଗି ରହିଥିଲା  ।

ତେବେ ପାଞ୍ଚ ଦିନ ପୂର୍ବରୁ ତ୍ରିଲୋଚନଙ୍କ ବାପା ନାଲୁ ବାରିକ ପୁଅ ଏବଂ ବୋହୂଙ୍କୁ ଧମକ ଦେଇଥିଲେ କି, ପାଞ୍ଚ ଦିନରେ ଅବସ୍ଥା କ’ଣ ହେଉଛି ଦେଖ ବୋଲି । ଏତିକି କହି ସେ ଘରୁ ଚାଲି ଯାଇଥିଲେ । ତେବେ ଯିବା ପରେ ଘରର ଶୋଇବା ଖଟ ଉପରେ ଥିବା ଲୁଗାପଟା ସହିତ ଶେଜରେ ଆପେ ଆପେ ଅଗ୍ନୀକାଣ୍ଡ ଘଟିବା ଆରମ୍ଭ ହୋଇଥିଲା । ସଂଧ୍ୟାରାଣୀଙ୍କ ପ୍ରତ୍ୟେକ ସମୟରେ ପିନ୍ଧୁଥିବା ଲୁଗା କାନୀରେ ଆପେ ଆପେ ନିଆଁ ଲାଗିଯାଉଥିଲା ।

ତେବେ ଗତ ରବିବାର ସେ ଗ୍ରାମ ଦେବତୀଙ୍କ ନିକଟରେ ଶୋଇଥିବା ସମୟରେ ମଧ୍ୟ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପିପିଲି ଏବଂ ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏଭଳି ଘଟଣା ପାଇଁ ତାଙ୍କ ପରିବାର ଲୋକେ ଦାୟି ବୋଲି ତ୍ରିଲୋଚନ ଅଭିଯୋଗ କରିଛନ୍ତି ।

ଖାଲି ଯେ ତ୍ରିଲୋଚନଙ୍କ ଘରେ ଏଭଳି ଘଟଣା ଘଟିଛି ତାହା ନୁହେଁ । ତ୍ରିଲୋଚନଙ୍କ ସ୍ତ୍ରୀ ତାଙ୍କ ସମ୍ପର୍କୀୟ ଯାହାଙ୍କ ଘରେ ସେମାନେ ରହୁଥିଲେ ତାଙ୍କ ଘରେ ମଧ୍ୟ ସମାନ ଭାବରେ ଅଗ୍ନୀକାଣ୍ଡ ଘଟୁଛି । ତେବେ ଖାଲି ଯେ ଘରରେ ନିଆଁ ଲାଗିଛି ତାହା ନୁହେଁ, ଘର ବାହାରେ ଥିବା ପାଳଗଦାରେ ମଧ୍ୟ ନିଆଁ ଲାଗିଯାଉଛି । ଗତକାଲି ରାତ୍ରରେ ପଡ଼ୋଶୀଙ୍କ ମଶାରୀରେ ମଧ୍ୟ ନିଆଁ ଲାଗିଯାଇଥିଲା । ଯାହାକୁ ନେଇ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସେପଟେ ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ୍ ତାହାର ତଦନ୍ତ ଆରମ୍ଭ କରିଛି ।

ବିଶ୍ୱାସ ଅବିଶ୍ୱାସ ହେଉ କି ଅନ୍ଧ ବିଶ୍ୱାସ । ଯାହା ମାଧ୍ୟମରେ ଅଗ୍ନୀକାଣ୍ଡ ଘଟି ଘରର ଆସବାବପତ୍ର ଠାରୁ ଆରମ୍ଭ କରି ପାଳଗଦାରେ ନିଆଁ ଲାଗୁଛି । ଜଣଙ୍କ ପରେ ଜଣଙ୍କ ଘରେ ଲାଗୁଥିବା ଏହି ଆକସ୍ମିକ ଅଗ୍ନୀକାଣ୍ଡର କାରଣ କ’ଣ? ଏହା ଅଲୌକିକ ନା ମନୁଷ୍ୟକୃତ ତାହା ଦେଖିବାକୁ ବାକି ରହିଲା ।

ଆହୁରି ପଢନ୍ତୁ:ରାଜ୍ୟର ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ, ନିଆଁ ଲାଗିବା ଯୋଗୁଁ ଆଖପାଖ ଅଞ୍ଚଳରେ ତାତି ଅନୁଭୂତ